‌୫-ଟି ସଚିବଙ୍କ ଗଜପତି ଗସ୍ତ, ଛେଳିଗଡ଼ ଜଳବିଦ୍ୟୁତ ପ୍ରକଳ୍ପ ୨୦୨୫-୨୬ ସୁଦ୍ଧା ସରିବ

ପାରଳାଖେମୁଣ୍ଡି/ରା.ଉଦୟଗିରି : ଗତ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ ୫- ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସେଗୁଡ଼ିକୁ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଆର. ଉଦୟଗିରି ବ୍ଲକ୍‌ ସ୍ଥିତ ଛେଳିଗଡ଼ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଗଞ୍ଜାମ ଜିଲ୍ଲାକୁ ପାଣି ପଠାଯିବାର ବ୍ୟବସ୍ଥା ଲାଗି ୧୨୮୦ ମିଟର୍‌ ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି। ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ୫,୨୦୧ ହେ‌କ୍ଟୋମିଟର ପାଣି ସଂରକ୍ଷିତ ରଖା ଯାଇପାରିବ। ଗଞ୍ଜାମ ଜିଲ୍ଲାର ୫,୭୬୦ ହେକ୍ଟର ଓ ଗଜପତିର ୫ଶହ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଇ ଦିଆଯାଇ ପାରିବ। ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ପାଣି ମିଳିପାରିବ। ଗଜପତି ଜିଲ୍ଲାର ଶିଆଳିଲଟି, କନକତା ଓ ଡେକିଲି ଠାରେ ମିନି ହାଇଡ୍ରୋଇଲେକଟ୍ରିକ୍ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି। କୁଆଁପଡା, କାକିଲି ଓ ତିଳିଗାଁ ସମେତ କ୍ଷତିଗ୍ରସ୍ତ ହେଉଥିବା ୧୫ଟି ଗାଁର ଲୋକଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନି ନିର୍ମାଣ କରାଯାଉଛି। ଇତିମଧ୍ୟରେ ୩ଟି ଥଇଥାନ କଲୋନିର ଲୋକେ ରହିବାକୁ ଆରମ୍ଭ କଲେଣି ବୋଲି ସେ କହିବା ସହ ୨୦୨୫-୨୬ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ଏବଂ ସମ‌ସ୍ତ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଶ୍ରୀ ପାଣ୍ଡିଆନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକ ଏବଂ ପାରଳାଖେମୁଣ୍ଡି ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରୂପାନ୍ତରିତ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ରାମସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୧୦ କୋଟି ଓ କୃଷ୍ଣସାଗର ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିବା ସହ ଆସନ୍ତା ୧୫ଦିନ ଭିତରେ ଉଭୟ ଯୋଜନାର ଡିପିଆର୍‌ ପ୍ରସ୍ତୁତ କରିବା ପାଇଁ ଅଧକାରୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ସହିତ ସଚିବ ଆର.ଭିନଲ୍‌ କ୍ରିଷ୍ଣା, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧୀକ୍ଷକ ସ୍ୱାତୀ.ଏସ୍‌.କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର