ଶେରଗଡ଼/ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ୨ ଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ଭୋରରେ ଶେରଗଡ଼ ଓ ଗତକାଲି ହିଞ୍ଜିଳିକାଟୁର ମୋଟ ୩୯ଟି ହାଇସ୍କୁଲରେ ଚାଲିଥିବା ରୂପାନ୍ତରୀକରଣ କାମ ଓ ସ୍ମାର୍ଟକ୍ଲାସ୍ କାମ ତଦାରଖ କରିଥିଲେ। ଏହାସହ ପ୍ରାଶାସନିକ ଅଧିକାରୀବୃନ୍ଦ ଏବଂ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୧ ତାରିଖରୁ ଏହାକୁ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ପ୍ରତି ବିଦ୍ୟାଳୟରେ ବିଧାୟକ ମାନେ ଉପସ୍ଥିତ ରହିବେ। ଏହି କ୍ରମରେ ସଚିବ ଶ୍ରୀ ପାଣ୍ଡିଆନ୍ ଶେରଗଡ଼ ବ୍ଲକ୍ ଅଧୀନ ପିତଳ, ନରେନ୍ଦ୍ରପୁର, ଧନନ୍ତର, ତାକରଡ଼ା, କରଡ଼ାକଣା, ବରମୁଣ୍ଡଳି, କୁଲାଗଡ଼, ଗୋବିନ୍ଦପୁର, ଠୁରୁବୁରାଇ, ଶେରଗଡ଼ ଏବଂ ଅଲାରିଗଡ଼ ବିଦ୍ୟାଳୟ ଯାଇ ସ୍ମାର୍ଟ କ୍ଲାସ୍‌ରୁମ୍, ମଡ଼େଲ୍ ବିଜ୍ଞାନାଗାର, ଇ-ଲାଇବ୍ରେରି, ହାଇଜେନିକ ଶୌଚାଳୟ, ପରିସ୍ରାଗାର ଓ ସବୁଜ ବଗିଚା ପରିଦର୍ଶନ କରିଥିଲେ। ସେହିପରି ଗତକାଲି ଅପରାହ୍‌ଣରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକ୍‌ର ସମସ୍ତ ସ୍ମାର୍ଟ କ୍ଲାସ୍‌ରୁମ୍‌କୁ ସଚିବ ପରିଦର୍ଶନ କରିଥିଲେ। ପୌରପରିଷଦସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନ୍‌ଏସି ଉଚ୍ଚବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀକକ୍ଷ ଏବଂ ଇ-ଲାଇବ୍ରେରି ବୁଲି ଦେଖିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା ‌କରିଥିଲେ। ସମସ୍ତ ବିଦ୍ୟାଳୟର ଆଧୁନିକୀକରଣ କାମକୁ ପ୍ରଶଂସା କରିଥିଲେ। ଶାସନଆମ୍ବଗାଁ ଓ ସାପୁଆପଲ୍ଲ‌ୀରେ ମଧ୍ୟ ସ୍ମାର୍ଟ କ୍ଲାସ୍‌ରୁମ୍ ବୁଲି ଦେଖିଥିଲେ। ଶାସନଆମ୍ବଗାଁରେ ଯୁବ ବିଜେଡି ସଭାପତି ମନୋଜ ସାବତ ଓ ଛାତ୍ରଛାତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ବୃନ୍ଦାବନ ସ୍ମୃତି ବିଦ୍ୟାପୀଠର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ।

ଏହାପରେ ୫-ଟି ସଚିବ ଗଞ୍ଜାମର ଅଧିଷ୍ଠାତ୍ରୀ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ତଦାରଖ କରିଥିଲେ। ପରେ ଶ୍ରୀ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇଟିଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ.ପି. ବ୍ରିଜେଶ ରାଏଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।