ଗଞ୍ଜାମ ଓ ରାୟଗଡ଼ା ଗସ୍ତରେ ଉନ୍ନୟନ କମିଶନର, ୫-ଟି ସଚିବ : କୋଭିଡ୍‌ ହସ୍ପିଟାଲରେ ରୋଗୀସେବା ଉପରେ ଗୁରୁତ୍ବ

ରାୟଗଡ଼ା/ବ୍ରହ୍ମପୁର : ଆଜି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ କରୋନାର ସଫଳ ମୁକାବିଲା ଲାଗି ପ୍ରଶାସନର ମନୋବଳ ବୃଦ୍ଧି କରିଛନ୍ତି।

ଆଜି ସକାଳ ସାଢ଼େ ୯ଟାରେ ଉଭୟ ଅଧିକାରୀ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେରାୟଗଡ଼ାରେ ପହଞ୍ଚିବା ପରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିବା ସହିତ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଲାଗି ଖୁବଶୀଘ୍ର ୫ଟି ଭେଣ୍ଟିଲେଟର୍, ୧୦ଟି ଆଇସିୟୁ ଥିବା ଶହେ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ତ୍ବରାନ୍ବିତ କରିବାକୁ ଉଭୟ ଅଧିକାରୀ ପରାମର୍ଶ ଦେଇଥିଲେ। ୧୫ରୁ ୨୦ ଦିନରେ ଏହି ସୁବିଧା ଉପଲବ୍ଧ କରିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ନ ଚଲାଇ ଗାଡ଼ି ବନ୍ଦୋବସ୍ତ କରି ଘରେ ଛାଡ଼ିବାକୁ ଏବଂ ପ୍ରବାସୀ ଶ୍ରମିକଙ୍କୁ ସ୍ବାବଲମ୍ବୀ କରିବାକୁ ମନରେଗା ଯୋଜନାରେ କାମ ଯୋଗାଇବାକୁ ୫-ଟି ସଚିବ ନିର୍ଦେଶ ଦେଇଥିଲେ।

ଅପରାହ୍ଣରେ ଉଭୟ ଅଧିକାରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳକାଟୁ, ଶେରଗଡ଼, କବିସୂର୍ଯ୍ୟନଗର, ଆସିକା, ପୋଲସରା ଓ ବ୍ରହ୍ମପୁର ଆଦି ଅଞ୍ଚଳ ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଥିଲେ ଏବଂ ବିଭିନ୍ନ ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ପରଖିଥିଲେ। ଏହି ଅବସରରେ ଉଭୟ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ପ୍ରଦାନ, ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ଆସିକା ବ୍ଲକ୍‌ ଗସ୍ତବେଳେ ଗ୍ରାମାଞ୍ଚଳରେ କରୋନାର ମୁକାବିଲା ସମ୍ପର୍କରେ ୫ଟି ସଚିବ ସରପଞ୍ଚଙ୍କ ସହ ସେ ଆଲୋଚନା କରିଥିଲେ ଏବଂ କରୋନା ଯୁଦ୍ଧରେ ସରପଞ୍ଚ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ପ୍ରଶାସନର ସମସ୍ତ କର୍ମଚାରୀ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ପୋଲସରା ବ୍ଲକ୍‌ରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି ଭଲ ବ୍ୟବହାର କରିବା ସହିତ ଖୁସିରେ ରଖିବାକୁ ସେ ସମସ୍ତ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥି‌ଲେ।

ସମ୍ବନ୍ଧିତ ଖବର