ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୧ ହଜାର କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ମେଡିକାଲ୍ କଲେଜ ଓ ହସ୍ପିଟାଲର ନିର୍ମାଣ କାମ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ଶେଷହେବ। ଶୁକ୍ରବାର ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି।
ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରୀପଡା ମା’ବରାଳଦେବୀ ମନ୍ଦିର ପରିଦର୍ଶନ କରିବାପରେ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଫୁଲବାଣୀରେ ବସ୍ଷ୍ଟାଣ୍ଡର ନିର୍ମାଣ କାମ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ।
ଏହାପରେ ସେ ଫୁଲବାଣୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ ସଂଘର ପ୍ରତିନିଧିଙ୍କ ସହ ଜିଲ୍ଲାର ସମୂହ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ସମସ୍ତେ ପର୍ଯ୍ୟଟନର ବିକାଶ ପାଇଁ ଗୁରୁତ୍ୱ ଦେଇଥିବାରୁ ସେ ଜିଲ୍ଲାରେ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ୍ ଅଞ୍ଚଳବାସୀଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ ୪୯୯.୯୧ କୋଟି ଟଙ୍କାରେ ଏକ ମେଗା ପାଇପ୍ ଜଳପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ।
ସଚିବ ରିଜର୍ଭ ପୁଲିସ୍ ପଡ଼ିଆରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ଜିଲ୍ଲାର ସମସ୍ତ ୩୬ଟି ଶିକ୍ଷାନୁଷ୍ଠାନକୁ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି। ଏଥିପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲାର ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨୩,୭୭୭ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ତେଣୁ କାର୍ଯ୍ୟଗୁଡ଼ିକର ନିୟମିତ ସମୀକ୍ଷା କରି ଠିକ୍ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅଭିଷେକ ପଡ଼ିଆରେ ମିସନଶକ୍ତି ସଦସ୍ୟା, ବ୍ୟାଙ୍କ ମିତ୍ର ଏବଂ ଅନ୍ୟାନ୍ୟ ପ୍ରତିନିଧିଙ୍କ ସହ ମିସନ୍ ଶକ୍ତି କାର୍ଯ୍ୟକ୍ରମ ଉପରେ ମଧ୍ୟ ୫-ଟି ସଚିବ ଆଲୋଚନା କରିଥିଲେ।
୫-ଟି ସଚିବଙ୍କ ପରିଦର୍ଶନ ସମୟରେ କ୍ରୀଡ଼ା ସଚିବ ଆର୍.ଭିନିଲ୍ କ୍ରିଷ୍ଣା ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।