କେନ୍ଦ୍ରାପଡ଼ା : ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଦିନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି। ପ୍ରସିଦ୍ଧ ବଳଦେବଜିଉ ମନ୍ଦିର, ଗୋଲରାହାଟସ୍ଥିତ ଦଧିବାମନଜିଉ ମନ୍ଦିର ଓ ରାମନଗରଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତମାନଙ୍କ ସହିତ ଆଲୋଚନା କରି ମନ୍ଦିରର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦଧିବାମନଜିଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଦୁଇ ଦିନିଆ ଗସ୍ତରେ ଆସିଥିବା ଶ୍ରୀ ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜମଧରସ୍ଥିତ ଆରଏମ୍ସି ଅଫିସ୍ ପରିସରରେ ଚାଲିଥିବା ୫୦୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ବାରା ଗୋଲଡେନ୍ ଗ୍ରାସ୍ରେ ପ୍ରସ୍ତୁତ ହସ୍ତଶିଳ୍ପ ଦେଖିଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ସେହିପରି ଡେରାବିଶ ବ୍ଲକ୍ରେ ଥିବା ମିସନ ଶକ୍ତି କାଫେ ପରିଦର୍ଶନ କରି ଏସଏଚ୍ଜି ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ।
ମହାକାଳପଡା ବ୍ଲକ୍ ଆଡୋଇଠାରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି), ବିଭିନ୍ନ ସଂସ୍ଥା ଓ ସଂଘ ସହ ଆଲୋଚନା କରି ଜିଲ୍ଲାର ବିକାଶ ଏବଂ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/kendrapara.jpg)