ମୁଖ୍ୟ ସଚିବ, ୫-ଟି ସଚିବଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ନିର୍ମାଣାଧୀନ ପ୍ରକଳ୍ପ ଶେଷ ପାଇଁ ନିର୍ଦ୍ଦେଶ

ଜୟପୁର/କୋରାପୁଟ/ନବରଙ୍ଗପୁର : ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗସ୍ତରେ ଆସି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ କୋଭିଡ୍ ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଶିକ୍ଷା, ଜଳସେଚନ ଏବଂ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଇଛି। ଆଗକୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ଜୟପୁର ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର। ତାଙ୍କ ସହ ୫-ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଆର.ଭିନୀଲ କ୍ରିଷ୍ଣା, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ବି ଗସ୍ତରେ ସାମିଲ୍‌ ଥିଲେ। ଏଠାରୁ କାର୍ ଯୋଗେ ନବରଙ୍ଗପୁର ଅଭିମୁଖେ ବାହାରିଥିବା ବେଳେ ରାସ୍ତାରେ ଜୟପୁର ବ୍ଲକ୍ ଅନ୍ତର୍ଗତ ଆମ୍ବାଗୁଡ଼ା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ଦେଖିବା ପରେ ନବରଙ୍ଗପୁର ସହର ଉପକଣ୍ଠ ତଥା ନନ୍ଦାହାଣ୍ଡି ବ୍ଲକ୍ ବଡଡାଇଭଟା ଗ୍ରାମରେ ଇନ୍ଦ୍ରାବତୀ ନଦୀକୂଳରେ ୧୯.୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ ଉଠାଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ।

ନବରଙ୍ଗପୁରରୁ ଫେରି କୋରାପୁଟ ଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସ୍ପିଟାଲ କାର୍ଯ୍ୟର ସମୀକ୍ଷା କରିଥିଲେ। ମେଡିକାଲ କଲେଜରେ ନିର୍ମାଣାଧୀନ ପିଏସଏ ଓ ଏଲଏମଓ ସମୀକ୍ଷା କରିଥିଲେ। ଉଭୟ ଜିଲ୍ଲାର ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଡିଇଆଜି ରାଜେଶ ଉତ୍ତମରାଓ ପଣ୍ଡିତ, ଏସ୍‌ପି ବରୁଣ ଗୁଣ୍ଠପାଲି, ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ପି.ଏସ.ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡିଆରଡିଏ ପିଡି ରତ୍ନାକର ସାହୁ, ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ, ଉଭୟ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ, କୋରାପୁଟ ମେଡିକାଲ କଲେଜ ଡିନ୍ ଏବଂ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର