ନୟାଗଡ଼ : ନୟାଗଡ଼ ଜିଲ୍ଲାଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ ନୀଳମାଧବ ମନ୍ଦିରର ଉନ୍ନତୀକରଣ କାମ ଚଳିତ ବର୍ଷ ଡି‌ସେମ୍ବର ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଓଡ଼ଗାଁ ବ୍ଲକ୍‌ ଗସ୍ତ କରି ରଘୁନାଥ ଜିଉ, ଶରଣକୁଳର ଲଡ଼ୁବାବା ମନ୍ଦିର ଦର୍ଶନ କରିଥିଲେ। ମନ୍ଦିରର ରୂପାନ୍ତରୀକରଣ ନେଇ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନି‌ର୍ଦ୍ଦେଶ ଦେଇଥିଲେ।

Advertisment

ସକାଳୁ ସକାଳୁ ନୟାଗଡ଼ର ନିର୍ମାଣାଧୀନ ବଲାଙ୍ଗୀ ପାର୍କ ଗସ୍ତ କରି ଏହାର ଉନ୍ନତିମୂଳକ କାର୍ଯ୍ୟ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଓଡ଼ଗାଁର ମିସନ୍‌ ଶକ୍ତି କାଫେରେ ଭୋଜନ କରିବା ସହିତ ମିସନ୍‌ ଶକ୍ତି ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ରାବେରାସ୍ଥିତ ଛତୁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ। ନୟାଗଡ଼ ବ୍ଲକ୍‌ ଷ୍ଟାଡିୟମଠାରେ ସ୍ବଂୟସହାୟକ ଗୋଷ୍ଠୀର ମହିଳା, ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ବିଶାଳ ଅଭିଯୋଗ ଗ୍ରହଣ ବୈଠକ କରାଯାଇଥିଲା। ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଅଭିଯୋଗପତ୍ର ବା ଦରଖାସ୍ତର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯିବ। ଯେଉଁ ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ ନାହିଁ, ଏହା କେବେ ସୁଦ୍ଧା ସମାଧାନ ହେବ ସେ ନେଇ ଫୋନ୍‌ ‌ଯୋଗେ ଜଣାଇ ଦିଆଯିବ ବୋଲି ୫-ଟି ସଚିବ କହିଥିଲେ। ଲାଠିପଡ଼ା ଟାଙ୍ଗୀ ପଡ଼ିଆରେ ମିସନ୍‌ ଶକ୍ତି କର୍ମଚାରୀ, ଗ୍ରୁପ୍‌ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ।