ରାୟଗଡ଼ାର ୪ ବ୍ଲକ୍‌ ପରିଦର୍ଶନ କଲେ ୫-ଟି ସଚିବ, କାଶୀପୁରରେ ହେବ ସ୍ନାତକ କଲେଜ

ରାୟଗଡା : ରାୟଗଡ଼ା ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ଦିନ କାଶୀପୁର, ପଦ୍ମପୁର, ବିଷମକଟକ ଏବଂ ଗୁଣପୁର ବ୍ଲକ୍‌ ପରିଦର୍ଶନ କରିଛନ୍ତି। ବହୁ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କରିବା ସହ ନୂଆ ପ୍ରକଳ୍ପ ନିମନ୍ତେ ପରାମର୍ଶ ଦେଇ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଭେଟି ପ୍ରସ୍ତାବ ଗ୍ରହଣ କରିବାପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ କାଶୀପୁର ବ୍ଲକ୍‌ ଯାଇ ସ୍ଥାନୀୟ ଯୁକ୍ତ୨ ମହାବିଦ୍ୟାଳୟକୁ ସ୍ନାତକ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ବିଷମକଟକ ବ୍ଲକ୍‌ର ଚାଟିକଣା ଏବଂ ଆଦିମ ଜନଜାତି ବସବାସ କରୁଥିବା ଖଜୁରି ଅଞ୍ଚଳରେ ପହଞ୍ଚିଥିଲେ। ଖଜୁରି ଇକୋ ଟୁରିଜିମ୍‌ ପାର୍କ ଏବଂ ଚାଟିକଣା ଶିବ ମନ୍ଦିର ସହ ଜଳପ୍ରପାତ ନିମନ୍ତେ ଡିପିଆର ଦାଖଲ କଲେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ ବୋଲି ପ୍ରକାଶ କରିଥିଲେ। ବିଷମକଟକରୁ ପଦ୍ମପୁର ବ୍ଲକ୍‌ ଗସ୍ତ କରି ମରିଚଗୁଡ଼ାସ୍ଥିତ ସଉରାଙ୍କ ମତରବନାମ ମନ୍ଦିର ୫-ଟି ସଚିବ ପରିଦର୍ଶନ କରିଥିଲେ। ମନ୍ଦିରକୁ ନୂଆ ରୂପ ଦେଇ ପର୍ଯ୍ୟଟନସ୍ଥଳର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ।

ଏଠାରୁ ଗୁଣପୁର ଗସ୍ତ କରି ସେଫାଳି ପାହାଡ଼ସ୍ଥିତ ରାମେଶ୍ୱର ମନ୍ଦିରର ଉନ୍ନତୀକରଣ ନିମନ୍ତେ ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ଗୁଣପୁର ଇନ୍‌ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣିରେ ମିସନ ଶକ୍ତି ସଦସ୍ୟ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ବିଜୁ ଏକ୍ସପ୍ରେସ୍‌ ୱେ ନିମନ୍ତେ ମୁଖ୍ୟମନ୍ତ୍ରୀ ୧୨୦୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ‌ବୋଲି ଜଣାଇଥିଲେ।

ଏହିସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର. ଭିନୀଲକ୍ରିଷ୍ଣା, ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ, ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର