ସୁନ୍ଦରଗଡ଼ରେ ୫-ଟି ସଚିବ: କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ରାଜଗାଙ୍ଗପୁର, ଟାଙ୍ଗରପାଲି, ହେମଗିର, ବାଲିଶଙ୍କରା ଓ ସୁନ୍ଦରଗଡ଼ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନ ସକାଳେ ରାଉରକେଲା ହକି ଭିଲେଜରୁ ସଡ଼କପଥରେ ଆସି ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ରେଲଓ୍ବେ ଓଭରବ୍ରିଜ ପରିଦର୍ଶନ କରି ଟାଙ୍ଗରପାଲି ବ୍ଲକକୁ ଆସି ବେଲସରା ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ସେ ହେମଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ପରିଚାଳିତ ମିଶନଶକ୍ତି କାଫେ ବୁଲି ଦେଖିବା ସହ ସେଠାରେ ଜଳଖିଆ ଖାଇ ମିଶନଶକ୍ତି ମହିଳାମାନଙ୍କୁ ପ୍ରଶଂସା କରିଥିଲେ।

ହେମଗିରି ପଞ୍ଚାୟତ ସମିତି କଲେଜ ପରିଦର୍ଶନ କରିଥିଲେ। ଏହି ଅବସରରେ ଏଠାରେ ଆଉ ୮ମାସ ପରେ ସ୍ମାର୍ଟ କ୍ଲାସରୁମ୍‌ ଓ ଯୁକ୍ତ ତିନି ଶ୍ରେଣୀ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପରେ ଶିବସାଗର ପୋଖରୀ ଓ ହେମଗିରି କଟା ଉନ୍ନତିକରଣ ବୁଲି ଦେଖିଥିଲେ। ସେଠାରୁ ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ବାଲିଶଙ୍କରା ବ୍ଲକ ଦେଓଭୁବନପୁର ହେଲିପ୍ୟାଡ୍‌ରେ ଓହ୍ଲାଇ କୁକୁଡାନାଳା ଜଳ ଅମଳ ପ୍ରକଳ୍ପ ଉନ୍ନତିକରଣ ବୁଲି ଦେଖିବା ସହ ତିଲେଇକାନିରେ ସ୍ଥାନୀୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ସେଠାରୁ ପୁଣି ହେଲିକାପ୍ଟର ଯୋଗେ ସୁନ୍ଦରଗଡ଼ ସରକାରୀ କଲେଜ ପଡିଆରେ ଓହ୍ଲାଇଥିଲେ। ଏଠାରୁ ସେ ସିଧା ସମଲେଇ ମନ୍ଦିର ଦର୍ଶନରେ ଯାଇଥିଲେ। ଏହାପରେ ସଦର ବ୍ଲକ ଗୁରଲିଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାରିଜାତ ପାର୍କ ଜିଲା କ୍ରୀଡ଼ା ଛାତ୍ରାବାସ ଆଦି ପରିଦର୍ଶନ କରିଥିଲେ। କ୍ରୀଡା ଛାତ୍ରାବାସରେ ଖେଳାଳିମାନଙ୍କ ସହ ମଧ୍ଯାହ୍ନ ଭୋଜନ କରି ସେମାନଙ୍କ ସମସ୍ଯା ପଚାରି ବୁଝିଥିଲେ। ଏହା ପରେ ମହିଳା ମହାବିଦ୍ଯାଳୟରେ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଅପରାହ୍ନରେ ସ୍ଥାନୀୟ ପ୍ରଗତି ମଣ୍ଡପରେ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ନାଗରିକ କମିଟି, ଓକିଲ ସଂଘ, ଭୂୟାଁ ମହାସଂଘ, ଜୟଜଗନ୍ନାଥ ଟ୍ରକର୍ସ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ କଳାଯାଇଥିଲା। ସଚିବଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଆର୍‌ ଭିନିଲ କ୍ରିଷ୍ଣା, ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସ୍‌ପି ପ୍ରତ୍ୟୁଷ ଦିବାକର, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ ମିଶ୍ର, ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲାପରିଷଦ ସଭାପତି କୁନ୍ତି ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ନ ସାଢ଼େ ୪ଟାରେ ସଚିବ ହେଲିକାପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର