ଶେରଗଡ଼/ହିଞ୍ଜିଳିକାଟୁ : ରାଜ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳିକାଟୁରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶେରଗଡ଼ ବ୍ଲକ୍ର ବିଭିନ୍ନ ସ୍ଥାନ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ ବେଳେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଉଛନ୍ତି। ଆପଣଙ୍କ ସୁଖଦୁଃଖ ଶୁଣିବାକୁ ଆମକୁ ଏଠାକୁ ପଠାଇଛନ୍ତି।
ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଶେରଗଡ଼ ଉଦୟ ପ୍ରତାପ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ, ପିତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଆଇଟିଆଇକୁ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, ବୁରୁପଡ଼ାସ୍ଥିତ ମାଶ୍ୟାମଳାଇ ପୀଠ, କଞ୍ଚୁରୁ ସରକାରୀ ଉଚ୍ଚବିଦ୍ୟାଳୟ, ପୋଚିଲିମା କଲେଜ ଓ ଆଇଟିଆଇ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ଡାକ୍ତରଖାନା ଯାଇ ରୋଗୀ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ବ୍ଲକ୍ କାର୍ଯ୍ୟାଳୟରେ ମିସନ୍ ଶକ୍ତି ସଦସ୍ୟାଙ୍କୁ ଭେଟି ଭାବବିନିମୟ କରିଥିଲେ।