୫-ଟି ସଚିବଙ୍କ ମହାମାଗାଦି ପରିଦର୍ଶନ: ମହିମାଙ୍କ ନାମରେ ନାମିତ ହେଲା ସେତୁ

‘ମହିମାପୀଠର ସର୍ବାଙ୍ଗୀନ ଉନ୍ନତି କରାଯିବ’, ସରଳତା ଓ ଶ୍ରେଷ୍ଠତା ମହିମାଧର୍ମର ମହାନ ତତ୍ତ୍ବ

ଯୋରନ୍ଦା/ଢେଙ୍କାନାଳ : କାଲୁରିଆ-ଯୋରନ୍ଦା ମଧ୍ୟରେ ପ୍ରାୟ ୧.୯୫ କିମି ଲମ୍ବ ଓ ୧୨ମିଟର ଚଉଡ଼ା ସେତୁକୁ ‘ମହିମା ସେତୁ’ ଭାବେ ନାମିତ କରାଯାଇଛି। ଏଠାରେ ଗସ୍ତରେ ଆସିଥିବା ଅବସରରେ ୫-ଟି ସଚିବ ଭି .କେ. ପାଣ୍ଡିଆନ୍ ଏହି ଘୋଷଣା କରିଛନ୍ତି।

ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ, ଢେଙ୍କାନାଳରେ ଯୋଗାଯୋଗର ସୁବିଧା ପାଇଁ କାଲୁରିଆ ଗାଁଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ବୃହତ୍ ସେତୁ ନିର୍ମାଣ କରାଯାଇଛି। ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ବାରା ୬୨ଟି ଗାଁର ଜନସାଧାରଣ ଯୋଗାଯୋଗ କ୍ଷେତ୍ରରେ ନାନା ସୁବିଧା ପାଇବେ। ଏଥିସହ ଯୋରନ୍ଦାପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଯାଇପାରିବେ। କାଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ‘ମହିମା ସେତୁ’ ନାମରେ ମୁଖ୍ୟମନ୍ତ୍ରୀ ନାମିତ କରିଥିବା ସେ ଅବଗତ କରିଥିଲେ।

ଏହାପୂର୍ବରୁ ସଚିବ ଶ୍ରୀ ପାଣ୍ଡିଆନ ଢେଙ୍କାନାଳ ଜିଲ୍ଲାର ବିଶ୍ୱପ୍ରସିଦ୍ଧ ମହିମାଧର୍ମର ଆଦିପୀଠ ମହିମାଗାଦିକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ, ମହିମାପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା କରାଯିବ। କେବଳ ଏତିକି ନୁହେଁ, ସାରା ଭାରତରେ ଯେଉଁଠାରେ ମହିମାଧର୍ମର ପୀଠ କିମ୍ବା ଟୁଙ୍ଗି ରହିଛି ସେଠାରେ କୌଣସି ସମସ୍ୟା ଥିଲେ ତାହା ବି ସମାଧାନ ହେବ।

ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମହିମାଧର୍ମକୁ ଏବଂ ସନ୍ଥ କବି ଭୀମଭୋଇଙ୍କୁ ସମ୍ମାନ କରନ୍ତି। ଏହାର ନିଦର୍ଶନ ଭାବେ ମୁଖ୍ୟମନ୍ତ୍ରୀ ନିବାସରେ ଏକ ତାଳପତ୍ର ପଙ୍ଖା ରହିଛି। ବାହାରୁ ଆସୁଥିବା ଅତିଥିମାନେ ଏ ସଂପର୍କରେ ପଚାରିଲେ ଏହା ମହିମାଧର୍ମର ପ୍ରତୀକ ତାଳପତ୍ର ପଙ୍ଖା ବୋଲି କହି ସେ ଗର୍ବ ଅନୁଭବ କରିଥାନ୍ତି। ସରଳ ଜୀବନଯାପନ ଓ ଶ୍ରେଷ୍ଠତା ପ୍ରତିପାଦନ କରିବା ହେଉଛି ମହିମାଧର୍ମର ମହାନ ତତ୍ତ୍ବ। ମହିମାଗାଦିରେ ଚାଲିଥିବା ବିକାଶ କାର୍ଯ୍ୟ ଚାଲୁ ରହିବା ସହିତ ମହିମା ପୀଠର ବିକାଶ ତଥା ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିବା ସହ ସମସ୍ତ ପ୍ରକଳ୍ପ ଯଥାଶୀଘ୍ର ଆରମ୍ଭ ହେବ ବୋଲି ୫-ଟି ସଚିବ କହିଥିଲେ।

ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ସହ କମିସନର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ରୂପାରୋସନ ସାହୁ  ଗସ୍ତରେ ଆସିଥିଲେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ଜିଲ୍ଲାର ମନ୍ତ୍ରୀ ବିଧାୟକ ଏବଂ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର