ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ପାଣ୍ଡିଆନ୍‌ : ୨୬ ବିଦ୍ୟାଳୟ ଗଲେ, ଭିତ୍ତିଭୂମି ପରଖିଲେ

ପିଲାଙ୍କ ସହ ଖାଇଲେ ମଧ୍ୟାହ୍ନ ଭୋଜନ, ମା ତାରାତାରିଣୀ ପୀଠରେ ଉନ୍ନୟନମୂଳକ କାମ ସମୀକ୍ଷା

ହିଞ୍ଜିଳିକାଟୁ/ପୁରୁଷୋତ୍ତମପୁର : ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ଗଞ୍ଜାମ ଜିଲ୍ଲାରେ ତୋଫାନି ଗସ୍ତ କରିଛନ୍ତି। ସକାଳେ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଥିବା ମୋଟ ୨୬ଟି ବିଦ୍ୟାଳୟ ବୁଲିଥିଲେ। ସବୁ ବିଦ୍ୟାଳୟର ଭିତ୍ତିଭୂମି ତଦାରଖ ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ଉନ୍ନତି ଓ ବିକାଶ ନେଇ ଗ୍ରାମବାସୀଙ୍କଠୁ ମତାମତ ଲୋଡ଼ିଥିଲେ। ଏହାସହ ମକରଝୋଳ ଉଚ୍ଚବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ବସି ମଧ୍ୟାହ୍ନଭୋଜନ କରିଥିଲେ। ସମସ୍ତ ବିଦ୍ୟାଳୟରେ ଖେଳପଡ଼ିଆ ସହ ପାଠାଗାର ଏବଂ ମ୍ୟୁଜିୟମ୍ ନିର୍ମାଣ ଆଦି ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଭୋର୍ ୬ଟାରେ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ଆରମ୍ଭ ହୋଇଥିଲା। ତାରା ତାରିଣୀଙ୍କ ପୀଠରେ ୨୫ ମିନିଟ୍‌ ରହଣି ମଧ୍ୟରେ ସେ ବିଭିନ୍ନ ଉନ୍ନୟନ କାମ ତଦାରଖ କରିଥିଲେ। ସେବାୟତ ମୁଖ୍ୟ ବାପୁଜୀ ରଣା ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ମନ୍ଦିରକୁ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା, ନୂତନ ମନ୍ଦିର ପ୍ରତିଷ୍ଠା କାମ ଶୀଘ୍ର ଶେଷ କରିବାକୁ ସେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ୍ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍‌ ନନ୍ଦିକ ଉଚ୍ଚ ବିଦ୍ୟାଳୟ‌ ଯାଇଥିଲେ। ସେଠାରେ ଭିତ୍ତିଭୂମି ତଦାରଖ ସହ ଛାତ୍ରଙ୍କୁ ପଢ଼ା ବିଷୟରେ ପଚାରି ବୁଝିଥିଲେ। ପରେ ଶାସନ ଆମ୍ବଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ବେଳେ ନିର୍ମାଣାଧୀନ ଛାତ୍ରୀନିବାସ କାମ ଶୀଘ୍ର ସାରିବା ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସେଠାରେ ୨ଶହ ଶଯ୍ୟାବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। ସାରୁ ପଞ୍ଚାୟତରେ ନବନିର୍ମିତ ଗ୍ରାମୀଣ ପାଠାଗାର ବୁଲି ଦେଖିଥିଲେ।

ହିଞ୍ଜିଳିକାଟୁ ପୌର ପରିଷଦରେ ଥିବା ଏନ୍‌ଏସି ଉଚ୍ଚବିଦ୍ୟାଳୟ ପରିଦର୍ଶନ ବେଳେ ପାସ୍‌ହାର ୬୦ ପ୍ରତିଶତ ହୋଇଥିବାରୁ ପ୍ରଧାନଶିକ୍ଷକଙ୍କୁ ତାଗିଦ୍ କରିଥିଲେ। ଗ୍ରାମାଞ୍ଚଳରେ ଫଳାଫଳ ୮୦ରୁ ୯୦ ପ୍ରତିଶତ ରହୁଥିବା ବେଳେ ସହରାଞ୍ଚଳ ବିଦ୍ୟାଳୟରେ ଏହି କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ପରିଲକ୍ଷିତ ହେଉଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ସରକାରୀ ବୃନ୍ଦାବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲାବେଳେ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୌର ପରିଷଦରେ ନିର୍ମାଣାଧୀନ ଇନଡୋର୍ ଷ୍ଟାଡିୟମ୍ ବୁଲି ଦେଖିଥିଲେ।

ଶ୍ରୀ ପାଣ୍ଡିଆନ୍ ପୁଟିଆପଦର, ଧୋବାଡ଼ି, ଶାହାପୁର, ଭାବନ୍ଧ, ବେଲଗାଁ, ଗଣ୍ଡଳା, ଦୁର୍ବନ୍ଧ, ଦୟାପଲ୍ଲୀ, କଞ୍ଚୁରୁ, ଦାରୁଭଦ୍ର, ଶାସନଆମ୍ବଗାଁ, ପୋଚିଲିମା, ମକରଝୋଳ, ବଡ଼ଖଣ୍ଡି, ବୁରୁପଡ଼ା, ଚାନ୍ଦୁଲି, ସିକିରି, ରାଳବ ଏବଂ ଖରିଡ଼ାର ସମସ୍ତ ଉଚ୍ଚବିଦ୍ୟାଳୟକୁ ସଚିବ ପରିଦର୍ଶନ କରି ଭିତ୍ତିଭୂମି ଓ ପୋଖରୀ, କଲ୍ୟାଣମଣ୍ଡପ ନିର୍ମାଣ ଭଳି ଅନ୍ୟାନ୍ୟ ଉନ୍ନୟନ କାମ ତଦାରଖ କରିଥିଲେ। ତେବେ ହିଞ୍ଜିଳିକାଟୁର ନିର୍ମାଣାଧୀନ ବସଷ୍ଟାଣ୍ଡ୍ ଓ ଡାକ୍ତରଖାନା ନୂଆ କୋଠା କାମର ତଦାରଖ ହୋଇ ନଥିଲା।

ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭୋର୍ ସାଢ଼େ ୫ଟାରେ ସଚିବ ଶ୍ରୀ ପାଣ୍ଡିଆନ୍ ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପହଞ୍ଚିଥିଲେ। ରାଜରାସ୍ତାର ଦୁରବସ୍ଥା ଦେଖି କ୍ଷୋଭ ପ୍ରକାଶ କରିବା ସହ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର