ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ପହଞ୍ଚିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌

ସମ୍ବଲପୁର: ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ସହିତ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ମଧ୍ୟ ପରିଦର୍ଶନ କରିଛନ୍ତି। ଅପରାହ୍ଣ ପ୍ରାୟ ୨ଟାରେ ଶ୍ରୀ ପାଣ୍ଡିଆନ୍‌ ଜିଲ୍ଲା ଚିକିତ୍ସାଳୟର ଶିଶୁ-ମାତୃ ମଙ୍ଗଳ କେନ୍ଦ୍ରକୁ ଯାଇଥିଲେ। ସେଠାରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ସମୟରେ ଜଣେ ରୋଗୀଙ୍କୁ ରକ୍ତ ଦିଆଯାଇଥିଲା। ସଂପୃକ୍ତ ରୋଗୀଙ୍କୁ ପାଣ୍ଡିଆନ୍‌ ପଚାରି ବୁଝିଥିଲେ ଯେ, ସେ ଏହା ମାଗଣା ପାଇଛନ୍ତି ନା ବାହାରୁ କିଣିଛନ୍ତି। ହସ୍‌ପିଟାଲରେ ଖାଇବା-ପିଇବା କେମିତି ଦିଆଯାଉଛି ଓ ଚିକିତ୍ସା ସେବା କେମିତି ଚାଲିଛି, ତାହା ମଧ୍ୟ ରୋଗୀଙ୍କୁ ପଚାରି ବୁଝିଥିଲେ।

ଗସ୍ତ କାଳରେ ହସ୍‌ପିଟାଲ ପରିସରରେ ପାଣ୍ଡିଆନ୍‌ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା, ଯେଉଁଥିରେ ଉନ୍ନୟନ କମିସନର ଓ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଓ ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପଙ୍କଜିନୀ ପଣ୍ଡା ଉପସ୍ଥିତ ଥିଲେ। ମେଡିକାଲରେ କର୍ମଚାରୀ ଅଭାବ ଓ ଶଯ୍ୟା ସଂଖ୍ୟା କମ ଥିବା କଥା ଡ. ପଣ୍ଡା ୫ଟି ସଚିବଙ୍କୁ ଅବଗତ କରିଥିଲେ।

ବୈଠକ ପରେ ଶ୍ରୀ ପାଣ୍ଡିଆନ୍‌ ପୁରୁଷ ସର୍ଜରୀ ଓ୍ଵାର୍ଡ ଓ ସ୍ପେସିଆଲାଇଜ୍‌ ଓପିଡି ବୁଲିଥିଲେ। ଏଠାରେ ନିରାମୟ ଔଷଧ କେନ୍ଦ୍ରରେ ଔଷଧ ବିତରଣ କେମିତି ଚାଲିଛି, ସେ ସଂପର୍କରେ ରୋଗୀଙ୍କ ପଚାରି ବୁଝିଥିଲେ। ଶ୍ରୀ ପାଣ୍ଡିଆନ ହସ୍‌ପିଟାଲରେ ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ରହି ବିଭିନ୍ନ କାର୍ଯ୍ୟ କେମିତ ଚାଲିଛି ତାହା ଅବଗତ ହୋଇଥିଲେ।

ସମ୍ବନ୍ଧିତ ଖବର