୫-ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ: କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରି

ଭବାନୀପାଟଣା : ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଶୁକ୍ରବାର ପ୍ରଥମେ ଉତ୍କେଲା ଏୟାରଷ୍ଟ୍ରିପରେ ପହଞ୍ଚି ବିକାଶ କାମର ଅନୁଧ୍ୟାନ କରିଥିଲେ। ଆସନ୍ତା ଡିସେମ୍ବର ସୁଦ୍ଧା ବିମାନ ଚଳାଚଳ ପାଇଁ ରନ୍‌ୱେ ସମ୍ପ୍ରସାରଣ କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମାମହେଶ୍ବର ଧବଳେଶ୍ୱର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟଙ୍କ ସହ ଆଲୋଚନା କରି ମନ୍ଦିରର ବିକାଶ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ୬ ମାସ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଡିସେମ୍ବର ସୁଦ୍ଧା ଉତ୍‌କେଲା ବିମାନ ଘାଟି ରନ୍‌ୱେ ସମ୍ପ୍ରସାରଣ
ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ଼ ଲଙ୍କେଶ୍ୱରୀ ମନ୍ଦିର ଓ ଆଶାସାଗରର ଉନ୍ନତୀକରଣ ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ଏହି ଅବସରରେ ସେ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମର ଅନୁଧ୍ୟାନ କରିଥିଲେ। ପରେ ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଲ ବ୍ୟାରେଜ କାମର ଅଗ୍ରଗତି ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ତାଗିଦ କରିଥିଲେ। ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଅବଗତ କରିଥିଲେ। ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ଟି ଗ୍ରାମର ଚାଷ ଜମିକୁ ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଦ୍ୱାରା ଜଳସେଚିତ ହୋଇପାରିବ। ପରେ ଶ୍ରୀ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିସନ ଶକ୍ତି କାଫେ ଯାଇ ଖେଳାଳି ଓ ମିସନ ଶକ୍ତି ମାମାନଙ୍କ ସହ ଆଲୋଚନା କରିଥିଲେ।

ଭବାନୀପାଟଣାରେ ୫-ଟି ସଚିବ ପୁଲିସ ହାଇସ୍କୁଲକୁ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତରଣ ସୁବିଧା ଉପରେ ଆଲୋଚନା କରିଥିଲେ। ପରେ ସେ ଆଶା ସାଗର ବୁଲି ଦେଖିଥିଲେ। ଏହାର ପୁନର୍ବିକାଶ ପାଇଁ ମାସେ ଭିତରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଭବାନୀପାଟଣା ନବନିର୍ମିତ ବସ ଟର୍ମିନାଲକୁ ଯାଇ କାମର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ପରେ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବୁଲି ଦେଖିବାକ ସହ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି ଓ ଉନ୍ନତମାନର ଲାବ୍‌ର ବ୍ୟବସ୍ଥା କରାଯିବ ବୋଲି ୫-ଟି ସଚିବ ସୂଚନା ଦେଇଥିଲେ। କଳାହାଣ୍ଡି ଟାଉନ ହଲରେ ୫-ଟି ସଚିବ ମିସନ ଶକ୍ତି ସଦସ୍ୟାଙ୍କୁ ଭେଟିଥିଲେ। ଜୁନାଗଡ଼ର ପ୍ରସିଦ୍ଧ ଲଙ୍କେଶ୍ୱରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ଶୀଘ୍ର ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର