ନବରଙ୍ଗପୁର : ୫-ଟି ପ୍ରସଙ୍ଗକୁ ନେଇ ଗୁରୁବାର ଦିନ ନବରଙ୍ଗପୁର ଜିଲ୍ଲା ଦିଶା କମିଟି ବୈଠକରେ ବିଜେଡି ଓ ବିଜେପି ବିଧାୟକ ମୁହଁାମୁହିଁ ହେବାସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ମିସନଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ସାଂସଦ ରମେଶ ମାଝୀ। ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଅକ୍ସିଜେନ୍ ପ୍ଲାଣ୍ଟରୁ କାହିଁକି ୫-ଟି ବୋର୍ଡ ହଟାଗଲା ବୋଲି ସିଡିଏମ୍‌ଓଙ୍କୁ ପ୍ରଶ୍ନ କରିଥିଲେ। ସାଂସଦ ମଧ୍ୟ ସମାନ ପ୍ରଶ୍ନକୁ ଦୋହରାଇଥିଲେ। ଏହି ପ୍ରଶ୍ନ କାହା ଉଦ୍ଦେଶ୍ୟରେ ଏବଂ କାହାକୁ ଇଙ୍ଗିତ କରି ପଚରାଯାଇଥିଲା ବୁଝିବାକୁ ବେଶୀ ସମୟ ଲାଗି ନଥିଲା। ତେଣୁ ସିଡିଏମ୍‌ଓ ଉତ୍ତର ରଖିବା ପୂର୍ବରୁ କଥା କାଟିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ଯଦି ଅକ୍ସିଜେନ୍‌ ପ୍ଲାଣ୍ଟ କେନ୍ଦ୍ର ସରକାରଙ୍କ ଅନୁଦାନରେ ହୋଇଛି, ୫-ଟି ବୋର୍ଡ ସେଠାରେ କାହିଁକି ଲାଗିବ ବୋଲି ପ୍ରଶ୍ନର ଉତ୍ତର ପ୍ରଶ୍ନରେ ଦେଇଥିଲେ। କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ଫଟୋ ନଥିବା ସତ୍ତ୍ବେ କାହିଁକି ଉମରକୋଟ ବିଧାୟକ ଏତେ ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ଉଠାଜଳସେଚନ ବିଭାଗ ଉପଦେଷ୍ଟା ପ୍ରମୋଦ ପାଢ଼ୀ କହିଥିଲେ। ଏହାପରେ ବୈଠକର ମୋଡ଼ ସଂପୂର୍ଣ୍ଣ ବଦଳି ଯାଇଥିଲା। ଗୋଟିଏପଟେ ବିଜେଡି ବିଧାୟକ ଏବଂ ଅନ୍ୟପଟେ ବିଜେପି ବିଧାୟକ ପରସ୍ପରକୁ ଆକ୍ଷେପ ସହ ଦୋଷାରୋପ କରିବା ଆରମ୍ଭ କରିଥିଲେ। ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ କେହି କାହାର କଥା ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ। କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ବିଧାୟକ ଟାର୍ଗେଟ କରିଥିବା ବେଳେ ନିମ୍ନମାନର ୫-ଟି ସ୍କୁଲ, ଉପଜିଲ୍ଲାପାଳଙ୍କଠାରୁ ପୁଳାପୁଳା ଟଙ୍କା ବାହାରିବା ପ୍ରସଙ୍ଗରେ ବିଜେଡିକୁ ଘେରିଥିଲେ ନିତ୍ୟାନନ୍ଦ। ସମାଲୋଚନା ଅଧିକ ହେବାରୁ ବାହାରକୁ ଚାଲି ଆସିଥିଲେ ଉମରକୋଟ ବିଧାୟକ। ସାଂସଦ ରମେଶ ମାଝୀ ଅଟକାଇବାକୁ ଚେଷ୍ଟା କରିଥିଲେ ବି ଅଟକି ନଥିଲେ।

ତେବେ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଠିକ୍‌ ସମୟରେ ଶେଷ ହେଉ ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ସେହିପରି ନବରଙ୍ଗପୁରର ଜଣେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଦାବି ହୋଇଥିଲା।

ବୈଠକରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପରିଷଦ ସଭାପତି ମୋତିରାମ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ ଉପସ୍ଥିତ ଥିଲେ।