ସୂର୍ଯ୍ୟମନ୍ଦିର ପାଇଁ ବିକାଶ ଚିନ୍ତା : ଭୋର୍‌ ସମୟରେ କୋଣାର୍କରେ ୫ଟି ସଚିବ ପାଣ୍ଡିଆନ

କୋଣାର୍କ : ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଆଜି ଭୋର ସାଢ଼େ ୪ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ପହଞ୍ଚି ବିକାଶର ନକ୍ସା ଆଙ୍କିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଅନ୍ୟମାନେ ବି ସୂର୍ଯ୍ୟମନ୍ଦିର ଓ ଆଖପାଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆପାତତଃ ଫେବ୍ରୁଆରିରୁ ବିକାଶ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ସେପଟେ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ପରେ ରାଜ୍ୟ ସରକାରଙ୍କ କୋଣାର୍କ ସୂର୍ଯ୍ୟମନ୍ଦିରର ବିକାଶ ଚିନ୍ତାଧାରାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ଗୁରୁବାର ଭୋର ସାଢ଼େ ୪ଟା। କୋଣାର୍କ ଡାକ୍ତରଖାନା ଛକରେ ହଠାତ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପୁଲିସ ପ୍ରଶାସନର ବଡ଼ ଅଧିକାରୀଙ୍କ ଗାଡ଼ି ଲାଗିଲା। ଏହାର କିଛି ସମୟ ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଅପେକ୍ଷାରତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ। ପରେ ବିକାଶର ନକ୍ସା ଅଙ୍କାଯାଇଥିଲା। କୋଣାର୍କ, ଚନ୍ଦ୍ରଭାଗା ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଶ୍ରୀ ପାଣ୍ଡିଆନଙ୍କ ସହ ଅନ୍ୟମାନେ ଫେରିଯାଇଥିଲେ। ସେପଟେ ପୂର୍ତ୍ତ ସଚିବଙ୍କ କୋଣାର୍କ ଗସ୍ତର ମାତ୍ର ୪୮ ଘଣ୍ଟା ବ୍ୟବଧାନରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ କୋଣାର୍କ ଗସ୍ତକୁ ନେଇ ସାଧାରଣରେ ଭିନ୍ନ ମତ ପ୍ରକାଶ ପାଇଛି।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବର ଓ ପୁରୀର ସୌନ୍ଦର୍ଯ୍ୟୀକରଣ ପରେ ଏବେ ରାଜ୍ୟ ସରକାର କୋଣାର୍କର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୋଣାର୍କ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ଦୁଇ ଦିନ ପୂର୍ବେ ଅର୍ଥାତ୍ ଗତ ୬ ତାରିଖରେ ପୂର୍ତ ସଚିବ କ୍ରିଷନ୍ କୁମାର ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହ କୋଣାର୍କ ଗସ୍ତ କରିଥିଲେ। ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ସହ ନକ୍ସା ଅନୁଯାୟୀ କୋଣାର୍କର କେଉଁ ସ୍ଥାନରେ କେଉଁ ବିକାଶ କାର୍ଯ୍ୟ କରାଯିବ ଅନୁଧ୍ୟାନ କରି ଫେରିଥିଲେ। ଆଜି ଭୋର ସ‌ାଢ଼େ ଚାରିଟାରେ ଶ୍ରୀ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ପୃଥ୍ବୀରାଜ ମଣ୍ଡଳ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ୍‌ ଶ୍ରୀନିବାସ, କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ସଂଜୀବ କୁମାର ପ୍ରଧାନ ପ୍ରମୁଖ କୋଣାର୍କ ସୂର୍ଯ୍ୟମନ୍ଦିର, ରିଙ୍ଗ୍‌ ରୋଡ଼, ଏଏସଆଇ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ଚନ୍ଦ୍ରଭାଗା ଭଳି ସ୍ଥାନକୁ ଟିକିନିଖି ଭାବେ ବୁଲି ଦେଖିଥିଲେ। ସୂର୍ଯ୍ୟମନ୍ଦିର ସାମ୍ନାରେ ଥିବା ହସ୍ତଶିଳ୍ପ ବ୍ୟବସାୟୀମାନଙ୍କ ସମେତ କୋଣାର୍କର ରାସ୍ତାକଡ଼ରେ ବସିଥିବା ବ୍ୟବସାୟୀଙ୍କ ସ୍ଥାୟୀ ଥଇଥାନ ଦିଗରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ। କୋଣାର୍କର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ଆଇଓସିଏଲ ବସ ପାର୍କିଂର ସିଧାସଳଖ ସଂଯୋଗୀକରଣ ସହିତ ଅର୍ବାନହାଟକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନିଆଯିବ ଜଣାପଡ଼ିଛି।

କୋଣାର୍କର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀ ପାଣ୍ଡିଆନଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ଶ୍ରୀ ପାଣ୍ଡିଆନ ସୂର୍ଯ୍ୟୋଦୟର ଫଟୋ ଉତ୍ତୋଳନ କରୁଥିବାର ବି ଦେଖିବାକୁ ମିଳିଥିଲା। ଚନ୍ଦ୍ରଭାଗା ମାଘମେଳା ସଂପର୍କରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ଏହାର ସଠିକ ପରିଚାଳନା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟ ଭବିଷ୍ୟତରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଆଜି ଭୋର ‌ସମୟରେ ଶ୍ରୀ ପାଣ୍ଡିଆନଙ୍କ ଏହି ଅଚାନକ ଗସ୍ତ କୋଣାର୍କର ଭୌ‌ଗୋଳିକ ସ୍ଥିତିରେ ପରିବତ୍ର୍ତ୍ତ ଆଭାସ ଦେଇଥିବା ବେଳେ ବିସ୍ଥାପିତ ହେବା ଆଶଙ୍କାରେ ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର