କଟକ : ଆଜି ଭୋର ପାଖାପାଖି ୫ଟା ବେଳେ କଟକ ବଡମେଡିକାଲରେ ପହଞ୍ଚି ଯାଇଥିଲେ ‘୫-ଟି’ ସଚିବ ଓ ତାଙ୍କ ପୂରା ଟିମ୍। ଆଜିର ଏହି ଯାଞ୍ଚରେ କିନ୍ତୁ ସଚିବ ଓ ଅଧିକାରୀମାନେ ୱାର୍ଡ ନ ବୁଲି ଭିତ୍ତିଭୂମିର ସମୀକ୍ଷାକୁ ଗୁରୁତ୍ବ ଦେଇଥିଲେ। ଅଧିକାରୀମାନଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରି କଟକ ବଡ଼ ମେଡିକାଲର ବିକାଶ ସଂପର୍କରେ ଆଲୋଚନା କରିଥିଲେ। କିନ୍ତୁ ୱାର୍ଡ ନ ବୁଲିବା ଏବଂ ରୋଗୀଙ୍କୁ ନ ଭେଟିବା ଘଟଣାକୁ ନେଇ ରୋଗୀ ସଂପର୍କୀୟମାନେ କିଛିଟା ନିରାଶ ହୋଇଥିଲେ।
ଆଜି ସଚିବ ଓ ଅଧିକାରୀମାନେ ସିଧାସଲଖ ଭିତ୍ତିଭୂମିର ବିକାଶ ସମ୍ଭାବନାକୁ ନେଇ କାଠଯୋଡ଼ି ରିଂ ବନ୍ଧଠାରୁ ଆରମ୍ଭ କରି ଯୋବ୍ରା ଅଞ୍ଚଳ ଏବଂ ଏସ୍ସିବିକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତା ବୁଲି ଦେଖିଥିଲେ। ତା’ ସହିତ ଏସ୍ସିବି ଖେଳପଡ଼ିଆ, ପିଜି ହଷ୍ଟେଲ ପାଖ ଅଂଚଳ ବୁଲି ଦେଖିଥିଲେ। ଏସ୍ସିବିକୁ ୪ ଥାକିଆ ରାସ୍ତା ସହ କିପରି ଏହାର ଭିତ୍ତିଭୂମିର ବିକାଶ କରାଯିବ ସେ ସଂପର୍କରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍, ସ୍ବାସ୍ଥ୍ୟ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ଏନ୍ଆରଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ବିଭାଗ ସଚିବ ଡକ୍ଟର କିସନ କୁମାର ସମୀକ୍ଷା କରିଥିଲେ। ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଏସ୍ସିବି ପ୍ରନ୍ସିପାଲ ପ୍ରଫେସର ଡା. ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡା. ସରୋଜ କାନ୍ତ ସାହୁ, ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ବର ସିଂ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, କଟକ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ତାରା ପ୍ରସାଦ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଏମ୍.ଆର. ଖାନ୍ଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ସଚିବ ଓ ଅଧିକାରୀମାନେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ମ୍ୟାପ୍କୁ ଦେଖିବା ସହିତ ପ୍ରାୟ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ଏସ୍ସିବିର ଭିତ୍ତିଭୂମିର ବିକାଶ ସଂପର୍କରେ ତର୍ଜମା କରି ଫେରିଯାଇଥିଲେ ୫-ଟି ସଚିବ ଓ ତାଙ୍କ ଟିମ୍।
୫-ଟି ସଚିବଙ୍କ ଗସ୍ତ ପାଇଁ ଅବଶ୍ୟ ଏସ୍ସିବି କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଥିଲା। ରାତିତମାମ ଏସ୍ସିବିରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ କାଳେ କୌଣସି ୱାର୍ଡ ବା ଆଶୁ ଚିକିତ୍ସା କେନ୍ଦ୍ରକୁ ସଚିବ ଅଚାନକ ପରିଦର୍ଶନରେ ଯିବେ ସେଥିପାଇଁ ବ୍ୟାପକ ସତର୍କତା ବ୍ୟବସ୍ଥା ଗ୍ରହଣ କରିଥିଲେ ଏସ୍ସିବି କର୍ତ୍ତୃପକ୍ଷ। ରାତି ପ୍ରାୟ ସାଢେ ୩ଟା ପରଠାରୁ ଏସ୍ସିବି କର୍ତ୍ତୃପକ୍ଷ ସଜାଗ ହୋଇ ରହିଥିଲେ। ଗସ୍ତ ସମୟରେ ଏସ୍ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି, ବିରଞ୍ଚି ନାରାୟଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।