ବେଆଇନ ଲିଙ୍ଗ ନିରୂପଣ: ପଞ୍ଚମ ଅଭିଯୁକ୍ତ ଗିରଫ, ଡାକ୍ତରଙ୍କ ସଂପୃକ୍ତି ଥିଲା କି?

କଟକ: ବେଆଇନ ଲିଙ୍ଗ ନିରୂପଣ କରିଥିବା ଲ୍ୟାବ ଲିଙ୍କରେ କଟକ ମଙ୍ଗଳାବାଗ ଥାନା ପୁଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା। ସେ ଅଲ୍ଟ୍ରାସାଉଣ୍ଡ ମେସିନ ଆଲଫା ହେଲଥ କେୟାରକୁ ଯୋଗାଇଥିଲେ। ଗିରଫ ଅଭିଯୁକ୍ତଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି ଏହି ମେସିନ ଦଲାଲି କରୁଥିଲା । ତେବେ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରଙ୍କ ସମ୍ପୃକ୍ତି ପ୍ରମାଣ ମିଳିନାହିଁ।

ମଙ୍ଗଳାବାଗ କାଠଗୋଲା ସାହିରେ ଜଣେ ଆଇନଜୀବୀ ସୌମ୍ୟରଞ୍ଜନ ମିଶ୍ରଙ୍କ ଘର ଭଡ଼ା ନେଇ ତିଗିରିଆ ପାଞ୍ଚଗାଁର ପ୍ରସନ୍ନ ଗଲା ୬ ମାସ ହେବ ଆଲଫା ହେଲଥ କେୟାର୍ ଖୋଲିଥିଲା। ଘର ଭଡ଼ା ବାବଦରେ ସେ ୧୮ ହଜାର ଟଙ୍କା ଦେଉଥିଲା। ଏହି କ୍ଲିନିକରେ ପ୍ରସନ୍ନ ସହିତ ଆଟେଣ୍ଟାଣ୍ଡ ଭାବେ ଚୌଦ୍ବାର ଢିଅସାହିର ବସନ୍ତ କୁମାର ବର୍ଦ୍ଧନ କାମ କରୁଥିଲା। ଘର ମାଲିକ ଯେତେବେଳେ କ୍ଲିନିକର ପଞ୍ଜିକରଣ ସଂକ୍ରାନ୍ତ କାଗଜପତ୍ର ପ୍ରସନ୍ନକୁ ମାଗିଥିଲେ, ସେତେବେଳେ କ୍ଲିନିକ୍ ପାଇଁ ଆବେଦନ କରାଯାଇଥିବା ବେଳେ ଖୁବ ଶୀଘ୍ର ମିଳିଯିବା ନେଇ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିଲା।

କଟକ ସମେତ ନୟାଗଡ଼, ଖୋର୍ଧା, ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଭଳି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ନିରକ୍ଷର ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା। ସେହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଜଣ ଦଲାଲଙ୍କୁ ଠାବ କରିଛି ପୁଲିସ। ଏହି ଦଲାଲମାନେ ଗ୍ରାମାଞ୍ଚଳରେ ଗର୍ଭ ନଷ୍ଟ କରିବାକୁ ଚାହୁଁଥିବା ବିବାହିତ ମହିଳା କିମ୍ବା ଅବୈଧ ସନ୍ତାନ ପ୍ରସବ କରିବାକୁ ଚାହୁଁ ନଥିବା ମହିଳାଙ୍କୁ ଆଲଫା ହେଲଥ୍ କେୟାରକୁ ପଠାଉଥିଲେ। ଲିଙ୍ଗ ଯଦି ଶିଶୁକନ୍ୟାର ଚିହ୍ନଟ ହୁଏ ତେବେ ୪ ହଜାର ୫୦୦ ଟଙ୍କା ଏବଂ ଶିଶୁପୁତ୍ର ଚିହ୍ନଟ ହେଲେ ୫ ହଜାର ଟଙ୍କା ସମ୍ପୃକ୍ତ ମହିଳାଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ପ୍ରତି ପରୀକ୍ଷାରେ ପ୍ରସନ୍ନ ୧୫ ଶହ ଟଙ୍କା ପାଉଥିବା ବେଳେ ଅବଶିଷ୍ଟ ଟଙ୍କା ଦଲାଲ ନେଉଥିଲା।

ସମ୍ବନ୍ଧିତ ଖବର