ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ! ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଅଭିଭାବକ

ଚାନ୍ଦବାଲି: ଛାତ୍ରୀଙ୍କୁ ଅସଦାଚରଣ କରି ପୁଣି ଜଣେ ଶିକ୍ଷକ ବିବାଦରେ। ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ଅଭିଭାବକ ସମ୍ପୃକ୍ତ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୂମ ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମ୍ପୃକ୍ତ ଶିକ୍ଷକ ହେଲେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ପାଇକସାହି କ୍ଲଷ୍ଟର ଅଧୀନ ଗୁଆଁଳ ଭା‌ବେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରା।

ଗତ ଶନିବାର ଶିକ୍ଷକ ଶ୍ରୀ ବେହେରା ସ୍କୁଲର ୫ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ଛାତ୍ରୀଜଣକ କାନ୍ଦି କାନ୍ଦି ଘରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ରବିବାର ଛୁଟି ଥିବା ବେଳେ ଗତକାଲି ଶିକ୍ଷକ ଜଣକ ସ୍କୁଲରେ ଅନୁପସ୍ଥିତ ଥିବାରୁ ପରିବାର ଲୋକେ ପ୍ରଧାନଶିକ୍ଷକ ରମେଶ ନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ନାୟକ ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲ ଆସି ସମସ୍ୟା ସମାଧାନ କରିବାକୁ ତାଗିଦ୍‌ କରିବା ସହିତ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଆଜି ସମ୍ପୃକ୍ତ ଶିକ୍ଷକ ସ୍କୁଲ ଆସୁଥିବା ବେଳେ ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକେ ଗାଁ ରାସ୍ତାରେ ଅଟକାଇ ଏ ନେଇ ଶିକ୍ଷକଙ୍କୁ ପଚାରିବା ସହିତ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଶିକ୍ଷକ ଜଣକ ଯୁକ୍ତିତର୍କ କରିବାରୁ ତାଙ୍କୁ ପରିବାର ଲୋକେ ନିର୍ଘାତ ମାଡ଼ ମାରିଥିଲେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଅସଦାଚରଣ ଘଟଣାକୁ ଅସ୍ବୀକାର କରିଛନ୍ତି।
ସେପଟେ ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀ କମଳାକାନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଘଟଣାର ସତ୍ୟାସତ୍ୟ ରହିଛି। ସିଆରସିସି ବିଦ୍ୟାଳୟକୁ ତଦନ୍ତ ପାଇଁ ଯାଇଛନ୍ତି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର