ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ସୂର୍ଯ୍ୟନଗରର ପଞ୍ଚମ କରୋନା ଆକ୍ରାନ୍ତ, ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି କହିଲା ଏମ୍ସ

ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ସୁସ୍ଥ ଅଛନ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ଏବଂ ସେ ଭଲ ଅଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ଏକ ପ୍ରେସ ନୋଟ ଜରିଆରେ ଆଜି ଏହି ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ କୁହାଯାଇଛି ଯେ, ସୂର୍ଯ୍ୟନଗର କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି । ସେ ବିପଦରେ ନାହାନ୍ତି ।

ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଆଜି କରୋନା ଆକ୍ରାନ୍ତରେ ମୃତ ୭୨ ବର୍ଷିଅ ବୃଦ୍ଧଙ୍କୁ ଗତ ୪ ତାରିଖ ଅପରାହ୍ନ ୧ଟାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଜ୍ୱର ହୋଇଥିବା ବେଳେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ହସ୍ପିଟାଲର ଆଇସୋଲେସନକୁ ସ୍ଥାନାନ୍ତର କରାଯାଇଥିଲା । କୋଭିଡ-୧୯ ସନ୍ଦେହ ହେବା ପରେ ତାଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟରକୁ ନିଆଯାଇଥିଲା । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଏମ୍ସରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ଥରେ ନମୁନାକୁ ଆଇସିଏମଆର ପଠାଯାଇଥିଲା । ଆଇସିଏମଆରରେ ନମୁନା ପୁଣି ଥରେ ପଜିଟିଭ ସୁନିଶ୍ଚିତ ହୋଇଥିଲା ।

ସୂଚନାଯୋଗ୍ୟ, ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପିଡ଼ିତ ହୋଇ ସୂର୍ଯ୍ୟନଗରରେ ଥିବା ମହାଶକ୍ତି କ୍ଲିନିକକୁ ଗତ ମାର୍ଚ୍ଚ ୫ ତାରିଖରେ ଚିକିତ୍ସା ଲାଗି ଯାଇଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ଏବଂ ପ୍ରବଳ କଫ ହେବାରୁ ପୁଣି ଥରେ ସେ ମାର୍ଚ୍ଚ ୧୨ ତାରିଖରେ ସେହି ମହାଶକ୍ତି କ୍ଲିନିକକୁ ଯାଇଥିଲେ । ଏହା ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କର ଅସୁବିଧା ହେବାରୁ ମାର୍ଚ୍ଚ ୨୭ ତାରିଖ ଦିନ ସେ ସମ ହସ୍ପିଟାଲର ଓପିଡିକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ । ମାର୍ଚ୍ଚ ୨୮ ତାରିଖ ଦିନ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ ଏବଂ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରିଥିଲେ । ମାର୍ଚ୍ଚ ୩୧ ତାରିଖ ଦିନ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଲାଗି ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ସଂଗୃହୀତ ହୋଇଥିଲା । ଏପ୍ରିଲ ପହିଲା ଦିନ ଏହି ନମୁନା ପଜିଟିଭ ଥିବା ଜଣାପଡ଼ିଥିଲା । ଏପ୍ରିଲ ୩ ତାରିଖରେ ଏକକାଳୀନ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିରୁ ୭ ଜଣ ଥିଲେ ପଞ୍ଚମ ଆକ୍ରାନ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସମେତ ୭ ଜଣ ସଂପର୍କୀୟ ।

ସମ୍ବନ୍ଧିତ ଖବର