ସଫଳତାର ମୂଳଦୁଆ ସ୍କୁଲରେ ପଡ଼ିଥାଏ: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣର ୫ମ ଦିବସ, ୫ ଜିଲ୍ଲାର ୧୪୮ ବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର : ସ୍କୁଲ ରୂପାନ୍ତରଣର ୫ମ ଦିବସରେ ରାଜ୍ୟର ୫ଟି ଜିଲ୍ଲାର ୧୪୮ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଏଥିରେ ଜଗତ୍‌ସିଂହପୁର ଜିଲ୍ଲାର ୧୪ଟି ସ୍କୁଲ ରହିଥିବା ବେଳେ ଦେବଗଡ଼ର ୩୨, ପୁରୀର ୪୮, ବଲାଙ୍ଗୀରର ୨୪ ଓ କେନ୍ଦ୍ରାପଡା ଜିଲ୍ଲାର ୩୦ଟି ସ୍କୁଲ ରହିଛି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟର ୮୩୮ଟି ସ୍କୁଲ ନୂଆ ରୂପ ନେବା ସହ ଲୋକାର୍ପିତ ହୋଇଛି।

ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ମୁଁ ଚାହେ, ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ। ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ। ବଡ଼ ସ୍ବପ୍ନ ଦେଖି ଜୀବନର ସବୁ ଆହ୍ବାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢ଼ନ୍ତୁ। ଏହା ସ୍କୁଲ ରୂପାନ୍ତରଣର ମୁଖ୍ୟ ଲକ୍ଷ୍ୟ। ଜୀବନରେ ସଫଳତା ପାଇଁ ସ୍କୁଲରୁ ହିଁ ମୂଳଦୁଆ ପଡ଼ିଥାଏ। ତେଣୁ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସହର ଓ ଗାଁ ସ୍କୁଲଗୁଡ଼ିକ ଭିତରେ ଥିବା ତଫାତକୁ ଦୂର କରିଛି। ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଡାକ୍ତର, ଇଞ୍ଜିନିୟର୍‌ ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫% ଆସନ ସଂରକ୍ଷିତ କରିଛନ୍ତି। ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରି, କମ୍ପୁଟର୍‌ ଓ ଅତ୍ୟାଧୁନିକ ଲାବରୋଟାରିର ସଦୁପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡ଼ର ପୀୟୂଷପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗୀରର ଆର୍ୟାନ୍‌ ଶତପଥୀ ଓ କେନ୍ଦ୍ରାପଡ଼ାର ସୋନମ୍‌ ପରବିନ୍‌ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ନିଜର ମନ କଥା କହିଥିଲେ। ଜଗତସିଂହପୁରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡ଼ରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ପୁରୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବଲାଙ୍ଗୀରରେ ମହିଳା ଓ ଶିଶୁ ବିକାଶ, ମିସନ୍‌ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, କେନ୍ଦ୍ରାପଡ଼ାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ସ୍କୁଲ ରୂପାନ୍ତରଣ ରାଜ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ନିଜ ସଫଳତାରେ ସ୍କୁଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଟିଟିଲାଗଡ଼ ହାଇସ୍କୁଲରୁ ପାଠ ପଢ଼ିଥିବା ଶ୍ରୀ ତ୍ରିପାଠୀ କହିଲେ, ମୁଁ ସରକାରୀ ସ୍କୁଲରୁ ପାଠ ପଢ଼ି ସ୍ବପ୍ନ ପୂରଣ କରିପାରିଛି। ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି ଯୋଗଦାନ ରଖିପାରିଛି। ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶପାତାଳ ତଫାତ ରହିଛି। ତେଣୁ ତୁମେମାନେ ନିଶ୍ଟୟ ତୁମର ସ୍ବପ୍ନ ପୂରଣ କରିପାରିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରି କହିଲେ, ଅନେକ ଉଚ୍ଚପଦସ୍ଥ ଅଧିକାରୀ ସରକାରୀ ସ୍କୁଲରୁ ହିଁ ପାଠପଢ଼ି ଲକ୍ଷ୍ୟ ପୂରଣ କରିଛନ୍ତି। ମୁଁ ମଧ୍ୟ ସରକାରୀ ସ୍କୁଲରେ ପଢ଼ିଛି। ତେଣୁ ଆମ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ନିଶ୍ଚୟ ସଫଳ ହେବେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର୍‌ ପି.କେ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର