ପଞ୍ଚମ ଅର୍ଥ ଆୟୋଗ ରିପୋର୍ଟରେ ଲାଗିବ ମୋହର!

ଶୁକ୍ରବାର କ୍ୟାବିନେଟ୍

ଭୁବନେଶ୍ବର : ଆସନ୍ତା ୭ ତାରିଖ ଦିନ ଅପରାହ୍ନ ୧୨ଟା ୧୫ରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିପାରେ। ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ରିପୋର୍ଟ ଅନୁମୋଦନ ପାଇଁ ଆସିବା ସମ୍ଭାବନା ଅଧିକ। ଆସନ୍ତା ୨୦୨୦-୨୧ ବଜେଟ୍‌ରେ ଆୟୋଗଙ୍କ ସୁପାରିସ ଅନୁସାରେ ଅର୍ଥ ବରାଦ ହେବ। ଏଣୁ ବଜେଟ୍ ଆଗତ ପୂର୍ବରୁ ଅର୍ଥ ଆୟୋଗ ରିପୋର୍ଟ ବିଧାନସଭା ସାମ୍ନାକୁ ଆସିବ। ଏହାବ୍ୟତୀତ ଅନ୍ୟ ପ୍ରସ୍ତାବ ଆସନ୍ତାକାଲି ଜଣାପଡିବ।

ପଞ୍ଚମ ଅର୍ଥ ଆୟୋଗ ଅଗଷ୍ଟ ପ୍ରଥମ ସପ୍ତାହରେ ତାଙ୍କ ରିପୋର୍ଟ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ପ୍ରଦାନ କରିଥିଲେ। ପାଖାପାଖି ୨୦୦ ପୃଷ୍ଠାର ଏହି ରିପୋର୍ଟରେ ହୋଇଥିବା ସୁପାରିସ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହେବ।

ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ ହେବାକୁ ଥିବାରୁ ଏ ନେଇ କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ୩ଟି କ୍ଷେତ୍ରକୁ ଆୟୋଗ ଗୁରୁତ୍ବ ଦେଇଛନ୍ତି। ପ୍ରଥମତଃ ଡିଭୋଲ୍ୟୁସନ ବା ଟିକସ ଆବଣ୍ଟନ, ଦ୍ବିତୀୟତଃ, ଆସାଇନମେଣ୍ଟ ବା ପଞ୍ଚାୟତିରାଜ ସଂସ୍ଥା ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ଏବଂ ତୃତୀୟତଃ ଗ୍ରାଣ୍ଟ୍ ଇନ୍ ‌ଏଡ୍ ବା ସହାୟତା ଆକାରରେ ଅର୍ଥ ପ୍ରଦାନ କରିବା ପାଇଁ ସୁପାରିସ କରାଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଉଛି, ପଞ୍ଚଦଶ ଅର୍ଥ ଆୟୋଗ ତାଙ୍କ ଅନ୍ତରୀଣ ରିପୋର୍ଟ (୨୦୨୦-୨୧ ବର୍ଷ ଲାଗି)ରେ ଏକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛନ୍ତି। ଆୟୋଗ କହିଛନ୍ତି, ରାଜ୍ୟ ଅର୍ଥ ଆୟୋଗ ଯେଉଁ ଢାଞ୍ଚାରେ ଅର୍ଥ ଆବଣ୍ଟନ ପାଇଁ ସୁପାରିସ କରିଥିବେ, କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ପ୍ରଦତ୍ତ ଅର୍ଥ ସେହି ଢାଞ୍ଚାରେ ହିଁ ପ୍ରଦାନ କରାଯିବ। ଏଭଳି ସୁପାରିସ ପରିପ୍ରେକ୍ଷୀରେ ପଞ୍ଚମ ଅର୍ଥ ଆୟୋଗଙ୍କ ରିପୋର୍ଟର ଗୁରୁତ୍ବ ବଢିଯାଇଛି। ରାଜ୍ୟ ସରକାର ସେ ଅନୁସାରେ, ରାଜ୍ୟ ବଜେଟ୍‌ରେ ଅର୍ଥ ପ୍ରଦାନ କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି।

ଅବସରପ୍ରାପ୍ତ ଆଇଏଏସ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ରାଜ୍ୟର ପଞ୍ଚମ ଅର୍ଥ ଆୟୋଗ ୨୦୧୮ ମେ’ ମାସରେ ଗଠନ ହୋଇଥିଲା। ପ୍ରାୟ ୧୫ ମାସ କସରତ ପରେ ଆୟୋଗ ତାଙ୍କ ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ।

ସମ୍ବିଧାନର ୭୩ତମ ଏବଂ ୭୪ତମ ସଂଶୋଧନ ଅନୁଯାୟୀ ପଞ୍ଚାୟତିରାଜ ଏବଂ ପୌରସଂସ୍ଥା ଗୁଡ଼ିକୁ ଆୟୋଗ ଅର୍ଥ ପ୍ରଦାନ ପାଇଁ ତାଙ୍କ ରିପୋର୍ଟରେ ସୁପାରିସ କରିଥାନ୍ତି। ଏଥିପାଇଁ ସରକାର ଟିଓଟି (ଟର୍ମସ ଅଫ ରେ‌ଫରେନ୍ସ) ମଧ୍ୟ ପ୍ରଦାନ କରିଥିଲେ। ପଞ୍ଚମ ଅର୍ଥ ଆୟୋଗଙ୍କ ରିପୋର୍ଟ ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବ। ୨୦୨୦ ଏପ୍ରିଲ ପହିଲାରୁ ଏହାର କାର୍ଯ୍ୟକାଳ ଆରମ୍ଭ ହୋଇ ୨୦୨୫ ମାର୍ଚ୍ଚ ୩୧ରେ ସରିବ। ଆୟୋଗର ସୁପାରିସ ଆଧାରରେ ପଞ୍ଚାୟତିରାଜ ସଂସ୍ଥା ଯଥା ଗ୍ରାମ ପଞ୍ଚାୟତ, ଜିଲ୍ଲା ପରିଷଦ ଏବଂ ପୌରସଂସ୍ଥା ଯଥା ରାଜ୍ୟର ୫ଟି ମହାନଗର ନିଗମ, ପୌରନିଗମ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକୁ ଅର୍ଥ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଆୟୋଗର ସଦସ୍ୟ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସାମସନ ମହରାଣା, ଏକ୍ସଆଇଏମବିର ପ୍ରଫେସର ଅସିତ ମହାନ୍ତି ରହିଥିଲେ। ଏତଦବ୍ୟତୀତ ପଞ୍ଚାୟତିରାଜ ଏବଂ ମ୍ୟୁନିସପାଲ ନିର୍ଦ୍ଦେଶକ ଆୟୋଗର ଏକ୍ସ ଅଫିସିଓ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର