ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପର ୫ମ ଆରପିଡିଏସି ବୈଠକ : ୨୦୨୧ ଜୁନ୍ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ

ପୁରଣା ବିସ୍ଥାପିତଙ୍କୁ ମିଳିବ ନୂତନ ଅନୁଦାନ ରାଶି
ଜଳଭଣ୍ଡାର ବାମ ଓ ଦକ୍ଷିଣ ପାର୍ଶ୍ବରେ ନିର୍ମାଣ ହେବ ସଂଯୋଗୀକରଣ ରାସ୍ତା
ବିସ୍ଥାପିତଙ୍କ ପାଇଁ ୪୯୦ ବିଜୁ ପକ୍କାଘର ମଂଜୁର
ନିର୍ମାଣ ହେବ ୫ଟି ବିସ୍ଥାପିତ କଲୋନୀ

ବାରିପଦା : ଆସନ୍ତା ବର୍ଷ ଜୁନ ସୁଦ୍ଧା ସରିବ ବହୁପ୍ରତୀକ୍ଷିତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ। ଏହି ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ପରିବାରକୁ ସରକାରୀ ନିୟମ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ବିଶେଷକରି ପୂର୍ବରୁ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ମିଳିଥିବା କ୍ଷତିପୂରଣ ରାଶି ନୂତନ ବିସ୍ଥାପିତଙ୍କୁ ମିଳୁଥିବା ଅନୁକମ୍ପା ରାଶି ସହିତ ସମାନ ଭାବେ ପ୍ରଦାନ କରାଯିବ। ଦେଓ ଜଳସେଚନ ପ୍ରକଳ୍ପ କାରଣରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଥଇଥାନ ନିମନ୍ତେ ୫ଟି ବିସ୍ଥାପନ କଲୋନୀ ନିର୍ମାଣ କରାଯିବ। ଏନେଇ ତୁରନ୍ତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ କାର୍ଯ୍ୟାରମ୍ଭ ହେବ ବୋଲି ଆଜି ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫ମ ଆରପିଡିଏସି ବୈଠକରେ ଏହି ନିଷ୍ପତି ହୋଇଛି।

କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପାଂଚପୀଢ଼ କରଂଜିଆ ଉପଖଣ୍ଡ ଅନ୍ତର୍ଗତ ଦେଓ ମଧ୍ୟମ ଜଳ ସଚେନ ପ୍ରକଳ୍ପର ୫ମ ଆର୍ପିଡିଏସି (ପୁର୍ନବାସ ଓ ଥଇଥାନ ତଥା ପାରିପାର୍ଶ୍ବିକ ବିକାଶ ଉନ୍ନୟନ ଉପଦେଷ୍ଟା କମିଟି) ବୈଠକରେ ବିସ୍ଥାପିତ ଅଞ୍ଚଳର ପୁନର୍ବାସ ଓ ଥଇଥାନ ତଥା ପାରିପାର୍ଶ୍ବିକ ବିକାଶ ଆଦି ୧୦ ସୂତ୍ରୀ ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ୨୨ ଅଗଷ୍ଟ, ୨୦୧୭ ଆରପିଡିଏସି ବୈଠକରେ ହୋଇଥିବା ଆଲୋଚନାର କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଆଜିର ବୈଠରେ ବିସ୍ଥାପିତଙ୍କ ଦାବି ଅନୁସାରେ ଏକ୍ସ୍ଗ୍ରାସିଆ ଆମାଉଣ୍ଟ୍ ଉପରେ ହୋଇଥିବା ଅନୁମୋଦନ ବିଶେଷ ଗୁରୁତ୍ବ ବହନ କରୁଛି। ଏଥିପାଇଁ ୨୦୧୭ ଜାନୁୟାରୀ ମାସ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବ ନୂତନ ବିସ୍ଥାପିତ ହିସାବରେ ନିଆଯାଇ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତି ଚୁଡ଼ାନ୍ତ ହେବ ବୋଲି ଜଣାପଡ଼ିଛି।

ଦେଓ ଜଳଭଣ୍ଡାର ନିମନ୍ତେ ବିସ୍ଥାପିତ ହୋଇଥିବା ଗ୍ରାମର କ୍ଷତିଗ୍ରସ୍ତଙ୍କୁ ୨୦୦୬ ଭୂମିଅଧିଗ୍ରହଣ ଆଇନ ଅନୁସାରେ ହିଁ ଥଇଥାନ ରାଶି ପ୍ରଦାନ କରାଯିବ। ଯେହେତୁ ୧୮୮୪ ଭୂମିଅଧିଗ୍ରହଣ ଆଇନ ଅନୁସାରେ ଜମିଅଧିଗ୍ରହଣ ହୋଇଛି ତେଣୁ ଏଠାରେ ରାଜସ୍ବ ବିଭାଗର ଗାଇଡଲାଇନ୍ ଅନୁସାରେ ୨୦୧୩ ଭୂମିଅଧିଗ୍ରହଣ ଆଇନ ଅନୁସାରେ ଥଇଥାନ ରାଶି ପ୍ରଦାନ କରିହେବନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବିସ୍ଥାପିତଙ୍କ ନିମନ୍ତେ ୪୯୦ ବିଜୁ ପକ୍କାଘର ମଂଜୁର ହୋଇଥିବା ଆଜି ସୂଚନା ପ୍ରଦାନ କରାଯାଇଥିଲା। ବିସ୍ଥାପିତ କଲୋନୀରେ ରାଜ୍ୟ ସରକାର ବିସ୍ଥାପିତ ପରିବାରଙ୍କୁ ୫ ଡେସିମିଲ୍ ଲେଖାଏଁ ଜମି ଯୋଗେଇଦେବା ପରେ ଏହା କାର୍ଯ୍ୟକାରୀ ହେବ। ସେହିପରି ଜଳଭଣ୍ଡାର ମଧ୍ୟରେ ଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ଜଳଭଣ୍ଡାରର ଚାରିପଟେ ପ୍ରାୟ ୨୨କିମି ପାଖାପାଖି ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯିବ। ସେହିପରି ସରକାର ଏବଂ ବିସ୍ଥାପିତଙ୍କ ମଧ୍ୟରେ କେହି ନରହିବାକୁ ଦାବି ବିସ୍ଥାପିତଙ୍କ ପ୍ରତିନିଧି ଦାବି କରିଥିଲେ। ସେହିପରି ସମସ୍ତ ବିସ୍ଥାପିତମାନଙ୍କ ପୁନଃ ଥଇଥାନ ଓ ପାରିପାର୍ଶିକ ବିକାଶ କାର୍ଯ୍ୟକ୍ରମରେ ବିସ୍ଥାପିତ କୋଲନୀ ଅଂଚଳରେ ଗମନା ଗମନ ରାସ୍ତା ସଂଯୋଗୀକରଣ, ପାନୀୟ ଜଳଯୋଗାଣ, ବିଦ୍ୟୁତ୍ ଆଲୋକ ଯୋଗାଣ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଆଦି ଆନୁସଙ୍ଗିକ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ତ୍ୱାରାନ୍ନିତ କରାଯିବା ନିଷ୍ପତି ଗ୍ରହଣ କରାଯାଇଛି ।

ଏହି ବୈଠକରେ ବିସ୍ଥାପିତମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ପୂର୍ବକ ବୁଡି ଅଂଚଳରୁ ଏହିବର୍ଷରୁ ବିସ୍ଥାପିତ ହୋଇ ନୂତନ କଲୋନୀରେ ସ୍ଥାନାନ୍ତର ପାଇଁ ବିହିତ ପଦକ୍ଷେପ ପାଇଁ କେନ୍ଦ୍ରାଂଚଳ ରାଜସ୍ବ କମିସନର ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଂଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ ଭରଦ୍ୱାଜ୍ , ଜଳସମ୍ପଦ ବିଭାଗ (ଆରଆର) ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ, ଦେଓ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମହେନ୍ଦ୍ର କୁମାର ଭୂୟାଁ, କରଂଜିଆ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ, ନିର୍ବାହୀ ଯନ୍ତ୍ରୀ ଅନିଲ୍ କୁମାର ପାଣିଗ୍ରାହୀ, ସତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଦୁଃଖବନ୍ଧୁ ନାୟକ, କରଞ୍ଜିଆ ବିଡିଓ ଶିବାଶିଷ ବରାଳ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ଜୋନ ଅଧିକାରୀ ନଗେନ୍ଦ୍ର ନାଥ ମାଝୀ ପ୍ରମୁଖଙ୍କ ସମେତ ସଂପୃକ୍ତ ବିଭାଗ ପଦାଧିକାରୀ ଏବଂ ବିସ୍ଥାପିତ ତଥା ବୁଡି ଅଂଚଳର ଜନପ୍ରତିନିଧି ଯୋଗଦେଇଥିଲେ।

ଉଲ୍ଲେଖଯୋଗ୍ୟଯେ ଜିଲ୍ଲାର ପାଂଚପୀଢ କଂରଜିଆ ଉପଖଣ୍ଡ ଅଂଚଳ ହାତୀବାରୀ ଠାରେ କାର୍ଯ୍ୟକାରୀ କରାଯାଉଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ୬୬୭୭ ହେକ୍ଟର ଓ କେନ୍ଦୁଝର ଜିଲ୍ଲାର ୩୨୨୩ ହେକ୍ଟର ମୋଟ୍ ୯୯୦୦ ହେକ୍ଟର କୃଷି ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୯୯୨ ମସିହା କାର୍ଯ୍ୟକାରୀ କରାଯାଇଆସୁଥିବା ଏହି ପ୍ରକଳ୍ପ ଦ୍ୱାରା ହାତୀବାରି, ଦେବୀଗଡ, ପୁରୁଣାପାଣି ଓ ସାନବାରାହାକାମୁଡା ଆଦି ୪ଟି ଗ୍ରାମ ସଂପୂର୍ଣ୍ଣ ବୁଡି ଅଂଚଳ ଗ୍ରାମ ଥିବାବେଳେ ବଡବାରାହାକାମୁଡା, କଦଳୀବାଡି, ରାଣିଭୋଳ, ବଡ ରାମଚନ୍ଦ୍ରପୁର, ଠାକୁରପାଟଣା ଓ ଶ୍ୟାମଚନ୍ଦ୍ରପୁର ଆଦି ୬ଟି ଗ୍ରାମ ଆଂଶିକ ବୁଡି ଅଂଚଳ ଗ୍ରାମର ବିସ୍ଥାପିତ ପରିବାର ଲୋକ ମାନଙ୍କୁ ସରକାରଙ୍କ ପୂର୍ନବାସ ଓ ଥାଇଥାନ ନିତିନିୟମାନୁସାରେ ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି। ୫୨କୋଟିରୁ ଊର୍ଧ୍ବ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବର୍ତ୍ତମାନ ମୂଲ୍ୟ ପ୍ରାୟ ୯୯୫କୋଟିରେ ପହଞ୍ଚିଲାଣି।

ସମ୍ବନ୍ଧିତ ଖବର