ଝାରସୁଗୁଡ଼ା: ୫-ଟି ସଚିବ ଭି.କେ ପାଣ୍ଡିଆନ ରବିବାର ଦିନିକିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବ୍ରଜରାଜନଗରସ୍ଥିତ ମା’ ରାମଚଣ୍ଡୀଙ୍କ ମନ୍ଦିର ଓ ଲଇକେରା ବ୍ଲକ୍‌ ମୟୂରଡୁମାସ୍ଥିତ ଗୋଣ୍ଡ ସମ୍ପ୍ରଦାୟର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କୁ ଦର୍ଶନ କରିଥିଲେ। ଶ୍ରୀ ପାଣ୍ଡିଆନ ପ୍ରଥମେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଯାଇ ବ୍ରଜରାଜନଗର ସୁଇମିଂ ପୁଲ୍‌ ପଡ଼ିଆରେ ନିର୍ମିତ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ କାର୍‌ ଯୋଗେ ମା ରାମଚଣ୍ଡୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ନେଇ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସେଠାରୁ ବାହାରି ଲଖନପୁର ବ୍ଲକ୍‌ ବିଜାପାଲି ପଡ଼ିଆରେ ଆୟୋଜିତ ଜନଶୁଣାଣି ଶିବିରରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଲଖନପୁର ବ୍ଲକ୍‌ ପଞ୍ଚଗାଁ, କୁମ୍ଭାରବନ୍ଧ, ବେଲପାହାଡ଼, ବ୍ରଜରାଜନଗରର କଲେଜଗୁଡ଼ିକୁ ୫-ଟିରେ ରୂପାନ୍ତରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଲଖନପୁର ବ୍ଲକ୍‌ରେ ୧୧୩ କୋଟି ଟଙ୍କା ବ୍ୟୟରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଚାଟିପାଲି ଉଠା ଜଳସେଚନ ପ୍ରକଳ୍ପ ଅକ୍ଟୋବର ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଓ ୪୦୫୬ ହେକ୍ଟର ଜମି ଜଳସେଚିତ ହେବ ବୋଲି କହିଥିଲେ। ସେଠାରୁ ଅଇତାପାଲିର ସଭାସ୍ଥଳକୁ ଆସି ଜନସାଧାରଣଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ସମ୍ପର୍କରେ କହିଥିଲେ। ଲଇକେରା, କିର୍ମିରା ଓ କୋଲାବିରା ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ କଲେଜ ୫-ଟି ଅଧୀନରେ ରୂପାନ୍ତରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ବାଦ୍‌ ଦେଇ ଜିଲ୍ଲାରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆସନ୍ତା ଜାନୁଆରି ସୁଦ୍ଧା ଆରମ୍ଭ ହେବ ବୋଲି କହିଥିଲେ। ହୀରାକୁଦ ବୁଡ଼ି ଅଞ୍ଚଳରେ ଥିବା ୧୯ଖଣ୍ଡ ମୌଜାରେ ସର୍ଭେ କାମକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପାଣ୍ଡିଆନଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ କ୍ରିଷ୍ଣା, ଉତ୍ତରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଳାଇ, ଆଇଜି ଡ. ଦୀପକ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପରମାର ପି. ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।