ପଞ୍ଚମ ରାଜ୍ୟ ଟେଲି ପୁରସ୍କାର

‘ଚଣ୍ଡାଳ’ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର, ‘ସିନ୍ଦୂର ବିନ୍ଦୁ’ ଶେଷ୍ଠ ଧାରାବାହିକ

ସତ୍ୟବ୍ରତ ଶ୍ରେଷ୍ଠ ଅଭିନେତା, ଶ୍ୱେତଲାନା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର : ସଂସ୍କୃତି ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଉତ୍କଳ ମଣ୍ଡପ ମଞ୍ଚରେ ପଞ୍ଚମ ରାଜ୍ୟ ଟେଲି ପୁରସ୍କାର-୨୦୧୭ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ବିବେଚିତ ‘ଚଣ୍ଡାଳ’ର ପ୍ରଯୋଜକ ବିଶାଳ ପଟ୍ଟନାୟକ ପୁରସ୍କୃତ କରାଯାଇଥିବାବେଳେ ‘ସିନ୍ଦୂର ବିନ୍ଦୁ’କୁ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର ପ୍ରଦାନ କରାଯାଇଛି। ଏହାର ପ୍ରଯୋଜିକା ସୌଭାଗ୍ୟଲକ୍ଷ୍ମୀ ଜେନା ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ‘ସିନ୍ଦୂର ବିନ୍ଦୁ’ର ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ‘ଏସିପି ନିକିତା’ ଧାରାବାହିକର ଶ୍ୱେତଲାନା ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

ପୁରସ୍କାର ଉତ୍ସବକୁ ଉଦ୍‌ଘାଟନ କରି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପୁରସ୍କାର ଟେଲି କଳାକାରଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଏଥିସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଦୁସ୍ଥ କଳାକାରଙ୍କୁ କଳାକାର ଭାତ୍ତା ପ୍ରଦାନ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟଅତିଥି ଭାବେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସିନ୍ଦୂର ବିନ୍ଦୁ ଧାରାବାହିକ ପାଇଁ ହୃଦୟାନନ୍ଦ ପଟ୍ଟନାୟକ ଶ୍ରେଷ୍ଠ ଚରିତ୍ର ଅଭିନେତା, ‘କିଏ’ ପାଇଁ ପ୍ରିୟଦର୍ଶିନୀ ବଡ଼ଜେନା ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ, ଋଷି ପଟ୍ଟନାୟକ ଶ୍ରେଷ୍ଠ ଖଳନାୟକ, ଏସିପି ନିକିତା ପାଇଁ ଯାଜ୍ଞସେନୀ ପ୍ରଧାନ ଶ୍ରେଷ୍ଠ ଖଳନାୟିକା, ‘ଦେଖ୍‌ ଖବର ରଖ ନଜର’ ଧାରାବାହିକ ପାଇଁ ସତ୍ୟବ୍ରତ ପାଣିଗ୍ରାହୀ, ସତ୍ୟରଞ୍ଜନ ମିଶ୍ରଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା, ‘ବଧୂ’ ଧାରାବାହିକ ପାଇଁ ଆଦ୍ୟାଶା ଚୌଧୁରୀ ଶ୍ରେଷ୍ଠ ଶିଶୁ କଳାକାର, ଦେଖ୍‌ ଖବର ରଖ ନଜର ଧାରାବାହିକ ପାଇଁ ସତ୍ୟ ରଞ୍ଜନ ମିଶ୍ର ଶ୍ରେଷ୍ଠ ସଂଳାପକାର, ଅୟସକାନ୍ତ ସ୍ୱାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ, ସିନ୍ଦୂର ବିନ୍ଦୁ ପାଇଁ ଶୁଭାଶିଷ ମେକାପ ଶ୍ରେଷ୍ଠ ସମ୍ପାଦନା, ‘କିଏ’ ପାଇଁ ଅରୁଣ ଦଣ୍ଡପାଟ ଶ୍ରେଷ୍ଠ ଶବ୍ଦ ଗ୍ରହଣ, ‘ସିନ୍ଦୂର ବିନ୍ଦୁ’ ପାଇଁ କୌଶିକବ୍ରତ ମାଇତିଙ୍କୁ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାର ପ୍ରଦାନ କରାଯାଇଥିଲା। ‘ତଅପୋଇ’ ଧାରାବାହିକ ପାଇଁ ଧରିତ୍ରୀ ଖଣ୍ଡୁଆଳ ଚରିତ୍ର ଅଭିନେତ୍ରୀ ଓ ‘ଚଣ୍ଡାଳ’ ପାଇଁ ଏମ.୍‌ଡି ବବୁଲୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଥିଲେ। ସଞ୍ଜୟ ପଟ୍ଟନାୟକ ନିର୍ଦେଶିତ ‘ବତୀଘର’କୁ ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଟେଲି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହାର ପ୍ରଯୋଜକ ସମ୍ବିତ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଥିଲେ।

ଜୁରୀ କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଗୀତିକାର ବୃନ୍ଦାବନ ଜେନା, ନାଟ୍ୟ ନିର୍ଦେଶକ ଲାଲା ବୀରେନ ରାୟ, ଲେଖିକା ସୁସ୍ମିତା ବାଗ୍‌ଚି(ଅନୁପସ୍ଥିତ), ଡ ସ୍ନେହପ୍ରଭା ସାମନ୍ତରାୟ, ଗାୟିକା ଗୀତା ଦାସ ପ୍ରମୁଖ ସଦସ୍ୟ ସଦସ୍ୟାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସଚିବ ମନୋରଞ୍ଜନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ। ମୃତ୍ୟୁଞ୍ଜୟ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର