ସବୁଜ ମହାନଦୀ ମିସନ ଆରମ୍ଭ ପାଞ୍ଚ ବର୍ଷରେ ୫୦୦୦ କୋଟି

ବୌଦ୍ଧ/କଣ୍ଟାମାଳ/ସୋନପୁର: ଓଡ଼ିଶାର ଜୀବନ ରେଖା ମହାନଦୀର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ସହ ରାଜ୍ୟ ସରକାର ଏକ ଯୋଜନାକୁ ଯୋଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ମହାନଦୀ ତଟବର୍ତ୍ତୀ ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ସବୁଜ ମହାନଦୀ ମିସନ ଯୋଜନାର ଶୁଭାରମ୍ଭ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ମନମୁଣ୍ଡାର ଦେଉଳି ତେଲନଦୀ କୂଳରେ ବୃକ୍ଷରୋପଣ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏହି ଯୋଜନାର ଉଦ୍‌ଘାଟନ କରିଛନ୍ତି। ସୋନପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ‘ମହାନଦୀ ହେଉଛି ଆମର ମା’; ଏହାର ପାଣି ଉପରେ ଓଡ଼ିଶାବାସୀଙ୍କ ଅଧିକାରରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀ କୂଳରେ ଥିବା ପ୍ରାୟ ୧୫ଟି ଜିଲ୍ଲାର ୧୩୦୩ଟି ଗାଁରେ ଚଳିତବର୍ଷ ୨ କୋଟି ଗଛ ଲଗାଯାଉଛି। ବ୍ୟାପକ ବୃକ୍ଷରୋପଣ ଫଳରେ ମହାନଦୀର ଜଳଧାରଣ କ୍ଷମତା ବ଼ଢିବ ଓ ନଦୀ କ୍ଷୟକୁ ମଧ୍ୟ ରୋକାଯାଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁଜ ମହାନଦୀ ରଥ ଏବଂ ପଦଯାତ୍ରାର ଶୁଭାରମ୍ଭ କରିବା ସହିତ ଲୋଗୋ ଉନ୍ମୋଚନ କରିଥିଲେ। ସମ୍ବଲପୁରର ଜମାଦାରପଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟକୁ ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସମ୍ବଲପୁର ବିଧାୟକ, ଉତ୍ତରାଞ୍ଚଳ ରାଜସ୍ୱ କମିସନର, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ସବୁଜ ମହାନଦୀ ମିସନ କାର୍ଯ୍ୟକ୍ରମରେ ମହାନଦୀ, ଇବ୍‌ ଓ ତେଲ ନଦୀର ଉଭୟ ପାର୍ଶ୍ୱରେ ୨ କୋଟି ଗଛ ଲଗାଯାଉଛି। ଏଥିରେ ୧୬ ହଜାର ୫୦୦ ହେକ୍ଟର ଜମିରେ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ୫୦୦ କିଲୋମିଟର ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷରୋପଣ କରାଯିବ। ଜଙ୍ଗଲ ଜମି, ରାଜସ୍ୱ ବିଭାଗ ଜମି ଓ ଘରୋଇ ଜମିରେ ଜନସାଧାରଣଙ୍କ ଭାଗିଦାରୀରେ ବୃୃକ୍ଷରୋପଣ କରାଯାଉଛି। ୨୦୧୮-୧୯ରେ ୬୩ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ନଦୀଗୁଡିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର