ସମ୍ବଲପୁର : ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ଅନୁମୋଦନ କରିଛନ୍ତି। ସମ୍ବଲୁପର ଗସ୍ତରେ ଥିବା ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖିଣ୍ଡା ଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖିଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପରେ ଏ ବିଷୟରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ‘ବୀର ସୁରେନ୍ଦ୍ର ସାଏ ଜନ୍ମପୀଠ ବିକାଶ ପ୍ରକଳ୍ପ, ଖିଣ୍ଡାକୁ ଅନୁମୋଦନ କରିଥିଲେ। ୧.୯୪୫ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ।

Advertisment

ସମ୍ବଲପୁର ସହରରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଦୁଇଟି ଜାଗାରେ ଲୋକଙ୍କୁ ଭେଟିଥିଲେ। ମନ୍ଦଲିଆ ପଡ଼ିଆରେ ସମବେତ ଜନତାଙ୍କଠାରୁ ଅଭିଯୋଗ/ଦାବିପତ୍ର ଗ୍ରହଣ କରିବା ଅବସରରେ ଖୁବ୍‌ ଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ। ମୁକ୍ତା ଯୋଜନାରେ ସମ୍ବଲପୁର ମହାନଗର ପାଇଁ ୬୫ କୋଟି ଟଙ୍କା ମଂଜୁର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମିସନ ଶକ୍ତିର ମାମାନଙ୍କୁ ରୋଜଗାର ବଢ଼ାଇବା ପାଇଁ ଏସବୁ ଦିଆଯିବ ବୋଲି କହିଥିଲେ। ସମଲେଇ ପ୍ରକଳ୍ପ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି କହିଥିଲେ। ଏହି ଅବସରରେ ସେ ସମ୍ବଲପୁର ଜିଲ୍ଲାର ୫୯ଟି କଲେଜ ପାଇଁ ୨୭.୭୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସଂକ୍ରାନ୍ତରେ ସେ ଘୋଷଣା କରିଥିଲେ। ଏହା ବ୍ୟତୀତ କୁଚିଣ୍ଡା ଓ ରେଂଗାଲି ମଧ୍ୟ ଶ୍ରୀ ପାଣ୍ଡିଆନ ଜନଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନିଲ୍ କ୍ରିଷ୍ଣା, ଆଇଜି ଦୀପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ ଭାମୁ ଏହି ଅବସରରେ ଉପସ୍ଥିତ ଥିଲେ।

ତେବେ ବ‌ିଜେପି ଓ କଂଗ୍ରେସ ଦଳର ବିରୋଧ ମଧ୍ୟରେ ଆଜି ପାଣ୍ଡିଆନଙ୍କ ଦୁଇଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତର ପ୍ରଥମ ଦିନ ସରିଛି। ପାଣ୍ଡିଆନ‌ ଯେଉଁଠିକୁ ଯାଇଥ‌ିଲେ ସେସବୁ ଜାଗାରେ ବିଜେପି ପକ୍ଷରୁ କଳା ପୋଷାକ ପରିଧାନ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ବି ଆନ୍ଦୋଳନକୁ ଓହ୍ଲାଇଥିଲା। ହେଲେ, ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। କୁଚିଣ୍ଡାରେ ବିଜେପି କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ପ୍ରୟାସ ହୋଇଥିଲା।