ସମ୍ବଲପୁର: ସମ୍ବଲପୁରର ଜଣେ ଯୁବତୀ ସାଇବର୍‌ ଠକେଇର ଶିକାର ହୋଇଥିବାଅଭିଯୋଗ କରିଛନ୍ତି। ଦୂରଦର୍ଶନର କର୍ମଚାରୀ  କହି ଅଭିଯୁକ୍ତ ଜଣକ ତାଙ୍କଠାରୁ  ସାଢ଼େ ୬ ଲକ୍ଷ ଟଙ୍କା ଠକିନେଇଥିବା ସେ ଶନିବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କହିବା ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଆପ୍‌ ‘ଷ୍ଟାର୍‌ ମେକର୍‌’ ମାଧ୍ୟମରେ ଉଭୟଙ୍କର ଚିହ୍ନା ହୋଇଥିଲା। ପରେ ଅଭିଯୁକ୍ତ ହିଲାଲ୍‌ ଅହମଦ ଓରଫ ରିୟାନ୍‌ ଯୁବତୀଙ୍କୁ ବିବାହ ପାଇଁ ରାଜି କରେଇ ନେଇଥିଲେ। ତାପରେ ଯୁବତୀ ଜଣକ ଅଭିଯୁକ୍ତ କଥାରେ ସମ୍ପୂର୍ଣ୍ଣ ଭାବେ ଆସି ଯାଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଆର୍ଥିକ ସହାୟତା କରିବାକୁ କହିଥିଲେ। ଯୁବତୀ ଜଣକ ଏକାଧିକ ଥର ଅନ୍‌ଲାଇନ୍‌ରେ ଅଭିଯୁକ୍ତକୁ ଟଙ୍କା ମଧ୍ୟ ଦେଇଥିଲେ।

Advertisment

ତାପରେ ଅଭିଯୁକ୍ତ ଜଣକ ଶ୍ରୀନଗର ବୁଲି ଆସିବା ପାଇଁ ଯୁବତୀଙ୍କୁ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣକ ମଧ୍ୟ ଅଭିଯୁକ୍ତ କଥାରେ ଗତ ଡିସେମ୍ବର ୧୫ ତାରିଖରେ ଶ୍ରୀନଗର ଯାଇଥିଲେ। ସେଠାରେ ଡିସେମ୍ବର ୨୧ ତାରିଖ ଯାଏ ରହିଥିଲେ। ସବୁ ଖର୍ଚ୍ଚ ଯୁବତୀ ଜଣକ ବହନ କରିଥିଲେ। ସେ ସମୟରେ ମଧ୍ୟ ଅଭିଯୁକ୍ତ ଜଣକ ସାହାଯ୍ୟ ମାଗିବାରୁ ଯୁବତୀ ଜଣକ ସାହାଯ୍ୟ କରିଥିଲେ। ଭବିଷ୍ୟତରେ କାଶ୍ମୀରରେ ଟ୍ରାଭେଲ୍ସ ଏଜେନ୍ସି ଖୋଲିବା ପାଇଁ ଯୁବତୀଙ୍କୁ ଅଭିଯୁକ୍ତ ଜଣକ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣକ ଏଥିରେ ରାଜି ହୋଇଥିଲେ, କିନ୍ତୁ କାର୍‌ଗୁଡ଼ିକ ତାଙ୍କ ନାଁରେ କରିବାକୁ ଯୁବତୀ କହିଥିଲେ। ଏହାପରେ ଯୁବତୀ ତାଙ୍କୁ ସମ୍ବଲପୁର ଏସ୍‌ବିଆଇ ଇ-କର୍ଣ୍ଣରରୁ ୩ ଲକ୍ଷ ଟଙ୍କା ପଠାଇଥିଲେ ଏବଂ ଆଉ ଲକ୍ଷେ ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର୍‌ କରିଥିଲେ।

ଏହା ପରେ ସେ ଆଉ ଅଢ଼େଇ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ତାଙ୍କୁ କାର୍‌ କିଣିଥିବା ରିସିପ୍ଟ ପଠାଇଥିଲେ। ତେବେ ଯୁବତୀ ଜଣକ ଯେତେବେଳେ କାରକୁ ତାଙ୍କ ନାଁରେ କରିବାକୁ କହିଥିଲେ, ଅଭିଯୁକ୍ତ ଜଣକ ତାଙ୍କ ସହ ଖେଳିବା ଆରମ୍ଭ କରିଥିଲା। ଅନ୍ୟପଟେ କାର୍‌ର ମେଣ୍ଟେନାନ୍ସ ପାଇଁ ଅଭିଯୁକ୍ତ ଜଣକ ଆଉ୨୦ ହଜାର ଟଙ୍କା ଯୁବତୀଙ୍କ ଠାରୁ ନେଇଥିଲେ। ଏଭଳି ଭାବେ ଠକ ଜଣକ ୬ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଥିଲା। ଯୁବତୀ କାର୍‌କୁ ତାଙ୍କ ନାଁରେ କରିବାକୁ ବାରମ୍ବାର କହିବାରୁ ଅଭିଯୁକ୍ତ ଜଣକ ତାଙ୍କ ସହ ଝଗଡ଼ା କରିଥିଲା ଏବଂ ଶ୍ରୀନଗରରେ ସବୁ ଟଙ୍କା ଦେଇଥିବା କହିଥିଲା। ଅଧିକ କହିଲେ  ମିଛ ଅଭିଯୋଗ ଦର୍ଶାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଦେବି ବୋଲି ଅଭିଯୁକ୍ତ ଧମକ ଦେଇଥିଲା।

ଏହାପରେ ଶ୍ରୀନଗର ଯାଇ ଯୁବତୀ ଜଣକ କେସ୍‌ କରିବାକୁ କହିବାରୁ ଅଭିଯୁକ୍ତ ଧମକ ଦେବା ଆରମ୍ଭ କରିଥିଲା। ଏହାପରେ ଶନିବାର ଯୁବତୀ ଜଣକ କୌଣସି ଉପାୟ ନପାଇ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।