ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବି ସେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ୯ ଜଣ ସାମିଲ ଥିବା ବି ଏସପି ସ୍ପଷ୍ଟ କରିଛନ୍ତି। ଏବେ ବି ଫେରାର ଅଛନ୍ତି ଟୁଟୁ, କୁନମୁନି ଓ ହରି ପଣ୍ଡା । ଏହି  ତିନି ଅଭିଯୁକ୍ତଙ୍କୁ ପୁଲିସ୍ ଖୁବ୍ ଶୀଘ୍ର ଧରିବ ବୋଲି ସେ କହିଛନ୍ତି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରାଯିବ।

କାଳିଆ ସିଂହାରୀ ଓରଫ ନିତ୍ୟାନନ୍ଦ ମହାପାତ୍ର ଓ ଦୋଳଗୋବିନ୍ଦ ଏହି ଘଟଣାର ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଅନ୍ୟ ଅଭିଯୁକ୍ତମାନେ ହେଲେ କାଳୁ ପାଣିଗ୍ରାହୀ, ସନ୍ଦୀପ ଜେନା, ବାବା ମହାପାତ୍ର ଏବଂ ରଶ୍ମୀରଂଜନ ପାତ୍ର।  ତେବେ ଏହି ହତ୍ୟ ଘଟଣାରେ ପ୍ରତିଶୋଧ ନା ଅନ୍ୟ କିଛି କାରଣ ରହିଛି ସେନେଇ ପୁଲିସ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

ପୁରୀ ଆରକ୍ଷୀ ଅଧୀକ୍ଷକ ଆହୁରି କହିଛନ୍ତି, କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା । ପ୍ରଥମେ ପାପୁଡ଼ିଆ ମଠରେ ଏକ ବୈଠକ ହୋଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କାର ସୁପାରି କାରବାର ହୋଇଥିଲା। ଏପରିକି ୨ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଥିଲା। ବନ୍ଧୁକ ବାବଦ ଦିଆଯାଇଥିଲା ୭୦ ହଜାର ଟଙ୍କା। କାଳୁ ପାଣିଗ୍ରାହୀ ୨ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା।  କାଳୁ ପାଣିଗ୍ରାହୀ ପାଖରୁ ପୁଲିସ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି। ଏହାଛଡ଼ା କେତେକ ମୋବାଇଲ ଫୋନ୍ ଜବତ କରାଯାଇଛି।

ସୂଚନାଯୋଗ୍ୟ, ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର