ରାଉରକେଲା: ଆଜି ପୁଣି ଏକ ଦେଶୀ ମଦ ରନ୍ଧାଶାଳରେ ଅବକାରୀ ପୁଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୩ ହଜାର ୩ ଶହ କେଜି ମହୁଲ ପୋଚ ଓ ୫୧୦ ଲିଟର ଦେଶୀ ମଦ ଜବତ ହୋଇଛି। ଜବତ ମହୁଲ ପୋଚର ଦାମ୍‌ ପାଖାପାଖି ୬ ଲକ୍ଷ ୬୫ ହଜାର ଟଙ୍କା ହେବ। ଏହାସହ ଦୁଇ ବାଇକ୍‌(ଓଡି-୧୪-ଆର୍‌-୦୦୪୧ ଏବଂ ଓଆର-୧୪-ଆର୍‌-୬୬୩୬) ମଧ୍ୟ ଜବତ ହୋଇଛି। ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି।

Advertisment

ବିଶ୍ରା ଥାନା ଅନ୍ତର୍ଗତ କେମାଙ୍ଗ ଗ୍ରାମରେ ବ୍ୟାପକ ପରିମାଣରେ ଦେଶୀ ମଦ ତିଆରି ହେଉଥିବା ରାଉରକେଲା ଅବକାରୀ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ପୁଲିସ, ଅବକାରୀ ମୋବାଇଲ ସ୍କ୍ବାଡ୍‌ ଓ ସ୍ଥାନୀୟ ବିଶ୍ରା ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ତେବେ ପୁଲିସ ଚଢ଼ଉ ବିଷୟରେ କୌଣସି ମାଧ୍ୟମରୁ ଜାଣି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନିଜ ଘରେ ତିଆରି କରୁଥିବା ଅଭିଯୁକ୍ତମାନେ ଘର ଛାଡ଼ି ଉଭାନ ହୋଇଯାଇଥିଲେ। ପୁଲିସ ଜବତ ମହୁଲ ପୋଚକୁ ନଷ୍ଟ କରିଥିଲା। ଅଭିଯୁକ୍ତମାନେ ନିଜ ବାସଗୃହ ପାର୍ଶ୍ବରେ ହିଁ ଦେଶୀ ମଦ ତିଆରି କରୁଥିଲେ। ଘର ସମ୍ମୁଖରେ ଥିବା କୂଅରେ ମୋଟର୍ ମାଧ୍ୟମରେ ପାଣି ଉଠାଇ ତାକୁ ଦେଶୀ ମଦ ତିଆରିରେ ବ୍ୟବହୃତ କରୁଥିଲେ। ମଦ ତିଆରିରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ପୁଲିସ ଜବତ କରିଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା, ଗାଙ୍ଗମଣୀ ହେମ୍ବ୍ରମ୍‌, ଆକାଶ ସାହୁ, ଅଜୟ ପ୍ରଧାନ, ଜେତରାଜ ଗହୀର, ଏସ୍‌ଆଇ ସଞ୍ଜୟ ଭୁକ୍ତା, ବିଜୟ ଜେନା ଓ ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।