ରାଉରକେଲା/ବନ୍ଧମୁଣ୍ଡା: ରାଉରକେଲା ସହର ଉପକଣ୍ଠ ବନ୍ଧମୁଣ୍ଡା ପ୍ରେମନଗର ପଡ଼ିଆ ନିକଟରେ ବଡ଼ଧରଣର ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗ୍ର ୬ ଜଣକୁ ବନ୍ଧମୁଣ୍ଡା ପୁଲିସ ଗିରଫ କରିଛି। ଏମାନଙ୍କର ନେତୃତ୍ବ ନେଉଥିଲା ବନ୍ଧମୁଣ୍ଡା ସି ସେକ୍ଟର୍ ୧୦ ନମ୍ବର ବସ୍ତିର କୁଖ୍ୟାତ ଅପରାଧୀ ବିଟୁ ତନ୍ତୀ (୨୬)। ତା’ର ଅନ୍ୟ ସହଯୋଗୀମାନେ ହେଲେ ବନ୍ଧମୁଣ୍ଡା ଡି ସେକ୍ଟର୍ ଗୁଣ୍ଡିଚାପାଲିର ଅଂଶୁ କୁମାର (୨୧), ୱାଇ. କ୍ରିଷ୍ଣା (୨୬), ସି ସେକ୍ଟର ହନୁମାନଗଧାର ବାବୁ ଓରଫ୍ ଅଜୟ ପଟ୍ଟନାୟକ (୩୦), ସି ସେକ୍ଟର୍ ୧୦ ନମ୍ବର ବସ୍ତିର ବିବେକ ମୋଦକ (୩୬) ଓ ଗୁଣ୍ଡିଚାପାଲିର ଅନ୍ତୁ ମୁଖୀ (୪୩)।
ଝାଡ଼ଖଣ୍ଡ, ବିହାରରୁ ଆଣୁଥିଲେ ବନ୍ଧୁକ
୪ ପିସ୍ତଲ, ରିଭଲଭର୍, ୧୫ ଗୁଳି, ଖଣ୍ଡା ଓ ମୋବାଇଲ ଜବତ
ଏମାନଙ୍କ ନିକଟରୁ ୪ଟି ଦେଶୀ ପିସ୍ତଲ, ଗୋଟିଏ ରିଭଲଭର୍, ୧୫ଟି ଅଫୁଟା ଗୁଳି, ଦୁଇଟି ଖଣ୍ଡା, ଗୋଟିଏ ଲୁହା ରଡ୍, ଟର୍ଚ୍ଚ, ୫ଟି ମୋବାଇଲ, ୬ଟି ବିୟର ବୋତଲ ଜବତ ହୋଇଛି। ଡକାୟତି ଗ୍ୟାଙ୍ଗର ମୁଖ୍ୟ ବିଟୁ ନାଁରେ ବନ୍ଧମୁଣ୍ଡା, ଝିରପାଣି, ସେକ୍ଟର୍-୩, ରଘୁନାଥପାଲୀ, ଲାଠିକଟା, ବ୍ରାହ୍ମଣୀତରଙ୍ଗ ଥାନାରେ ୩୪ଟି ଚୋରି, ଡକାୟତି, ହତ୍ୟା, ଆକ୍ରମଣ, ଲୁଟ୍, ବେଆଇନ ବନ୍ଧୁକ କାରବାର ମାମଲା ରହିଛି। ବିଟୁ ତା’ର ସହଯୋଗୀମାନଙ୍କ ସହ ବିହାର, ଝାଡ଼ଖଣ୍ଡରୁ ବନ୍ଧୁକ ଆଣି ରାଉରକେଲା ଓ ଏହାର ଆଖପାଖରେ ବିକୁଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଏହି ଗ୍ୟାଙ୍ଗ ବେଶ୍ ସକ୍ରିୟ ଥିଲେ। ସରକାରୀ ଅଧିକାରୀ, ବ୍ୟବସାୟୀ ଓ ବଡ଼ବଡ଼ିଆ ଲୋକଙ୍କ ଘରକୁ ଟାର୍ଗେଟ୍ କରୁଥିଲେ।
ଆଜି ବନ୍ଧମୁଣ୍ଡା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଆର୍.କେ. ମିଶ୍ର କହିଥିଲେ, ବନ୍ଧମୁଣ୍ଡା ଅଞ୍ଚଳରେ ବଡଧରଣର ଡକାୟତି ଯୋଜନା କରିବାକୁ ଗତକାଲି ରାତିରେ ବିଟୁ ତା’ର ସହଯୋଗୀମାନଙ୍କୁ ନେଇ ପ୍ରେମନଗର ପଡ଼ିଆରେ ଏକାଠି ହୋଇଥିଲା। ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ଚଢ଼ଉ କରିବାବେଳେ ଅଭିଯୁକ୍ତମାନେ ଦୌଡ଼ିଥିଲେ। ତେବେ ପୁଲିସ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏହାର ତିନି ଦିନ ପୂର୍ବରୁ ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୬ଜଣଙ୍କୁ ପୁଲିସ ଗିରଫ କରି ବିପୁଳ
ପରିମାଣର ମାରଣାସ୍ତ୍ର ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/03/M4P1Xn6UPnKfl2qcyf7v.jpg)