ଭଞ୍ଜନଗର ପୁଲିସ ଉପଖଣ୍ଡରେ ଛେଳି ଲୁଟର ପର୍ଦ୍ଦାଫାଶ : ଧରାପଡିଲେ ଆନ୍ତରାଜ୍ୟ ଛେଳି ଲୁଟେରା ଗ୍ୟାଙ୍ଗ

୬ ଅଭିଯୁକ୍ତ ଗିରଫ, ସ୍କରପିଓ ଓ ୩ ବାଇକ ଜବତ, ୧୫୧ ଛେଳି ଓ ମେଣ୍ଢାକୁ ଉଦ୍ଧାର କଲା ଭଞ୍ଜନଗର ପୁଲିସ

ଭଞ୍ଜନଗର: ଭଞ୍ଜନଗର ପୁଲିସ ଉପଖଣ୍ଡରେ ଲଗାତାର ଭା‌ବେ ଚାଲିଥିଲା ଛେଳି ଚୋରି। ଯାହା ଫଳରେ ପୁଲିସ କର୍ମଚାରୀଙ୍କ ନିଦ ହଜିଯାଇଥିଲା। କିନ୍ତୁ ଛେଳି ‌ଚୋରିର ର‍୍ୟାକେଟ ଚଉଲାଉଥିବା ଗ୍ୟାଙ୍ଗକୁ କାବୁ କରିଛି ଭଞ୍ଜନଗର ପୁଲିସ୍। ଛେଳି ଲୁଟର ରହସ୍ୟକୁ ପୁଲିସ ଆଜି ପର୍ଦ୍ଦାଫାଶ କରିଛି। ଏହି ଲୁଟେରାମାନ‌େ ମାରଣାସ୍ତ୍ର ଦେଖାଇ ଛେଳି ଲୁଟିଥିବା ବେଳେ ରାଜ୍ୟର ବିଭିନ୍ନ ବଜାରରେ ଏହାକୁ ବିକ୍ରି କରୁଥିଲା ଗ୍ୟାଙ୍ଗ୍। ଗତ ଏକ ମାସ ମଧ୍ୟରେ ଏହି ଉପଖଣ୍ଡରେ ୧୫୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢା ଚୋରି ହୋଇଥିବା ବେଳେ ପୁଲିସ ତାହାକୁ ଉଦ୍ଧାର କରିଛି। ଏହି ମାମଲାରେ ଭଞ୍ଜନଗର ପୁଲିସ୍ ୬ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ସାକ୍ଲଉଦିନ୍ ଖାନ୍, ମୁକ୍ତାର ଖାନ୍, ସାହାବୁଦ୍ଧିନ୍ ଖାନ୍, ମହମ୍ମଦ ଇଦିରିସ୍, ରାଣୀପୁର ଗ୍ରାମର ଶତ୍ରୁଘ୍ନ ବ‌େହେରା ଓ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଅଣ୍ଡା ଗ୍ରାମର ୟୁସୁଫ୍ ଅଲ୍ଲୀକୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କରପିଓ ଗାଡି (ଓଆର ୦୨ ବିଆର ୫୮୦୦), ଦୁଇଟି ପଲସର ବାଇକ୍ (ଓଡି ୦୨ଏଲ୍ ୯୩୧୬), (ଓଡି ୩୩ ଏସ୍ ୧୫୧୮) ଓ ଗୋଟିଏ ୟାମାହା ବାଇକ୍ (ଓଡି ୩୩ ଭି ୮୫୩୫) ଜବତ ହୋଇଛି। ଏଥିସହ ୫ଟି ମୋବାଇଲ୍ ଫୋନ୍ ଓ ଦୁଇଟି ଖଣ୍ଡା ମଧ୍ୟ ଜବତ ହୋଇଥିବା ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ଏହି ଗ୍ୟାଙ୍ଗରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ନେଇ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରେ ୩ଟି ସ୍ଥାନରେ ଲଗାତାର ଭାବେ ଛେଳି ଚୋରି‌ ହୋଇଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନ‌େ ବାଇକ୍ ଓ ସ୍କରପିଓ ଗାଡିରେ ଆସି ମାରଣାସ୍ତ୍ର ଦେଖାଇ ଗୁହାଳରୁ ଛେଳି ଲୁଟ କରିଚାଲିଥିଲେ। କିନ୍ତୁ ବରଗାଁରୁ ଛେଳି ଚୋରି ପରେ ସ୍କରପିଓ ଗାଡିଟି ଖରାପ ହୋଇଯିବା କାରଣରୁ ପୁଲିସକୁ ସୁରାକ ମିଳିଯାଇଥିଲା। ଏହାପରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ଏସଆଇ ସମୀର କୁମାର ବେହେରାଙ୍କ ସହ ପୁଲସି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ଲୋକକୁ ପଚାରଉଚୁରା କରି ଏହି ଗ୍ୟାଙ୍ଗ ନିକଟରେ ପହଞ୍ଚି ଥିଲେ। ଏହାପରେ ଏହି ଗ୍ୟାଙ୍ଗର ସଦସ୍ୟ ବିଷୟରେ ଖବର ପାଇବା ପରେ ସାକ୍ଲଉଦିନ୍ ଖାନ୍, ମୁକ୍ତାର ଖାନ୍, ସାହାବୁଦ୍ଧିନ୍ ଖାନ୍, ମହମ୍ମଦ ଇଦିରିସ୍, ଶତ୍ରୁଘ୍ନ ବ‌େହେରା ଓ ୟୁସୁଫ୍ ଅଲ୍ଲୀକୁ କାବୁ କରିଥିଲେ। ଅଭିଯୁକ୍ତଙ୍କୁ ପଚରାଉଚୁରା କରି ଜଟଣୀ ଅଞ୍ଚଳରୁ ୭୧ଟି ଛେଳି ଓ ୮୦ଟି ମେଣ୍ଢାକୁ ଉଦ୍ଧାର କରିଥିଲେ। ଛେଳି ଚୋରି ସମୟରେ ବ୍ୟବହୃତ କରିଥିବା ୩ ଟି ବାଇକ୍, ୫ଟି ମୋବାଇଲ୍ ଓ ଦୁଇଟି ଖଣ୍ଡା ଜବତ କରିଥିଲେ। ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟ ଫେରାର ଥିବା ଜଣାପଡିଛି।

ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରୁ ୩ଟି ସ୍ଥାନ, ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ୩ଟି, ବୁଗୁଡା ଥାନା ଅଞ୍ଚଳରୁ ଗୋଟିଏ, କବିସୂର୍ଯ୍ୟନଗର ଅଞ୍ଚଳରେ ୨ଟି ସ୍ଥାନରୁ ଓ ଖଲିକୋଟ ଥାନା ଅଞ୍ଚଳର ଗୋଟିଏ ସ୍ଥାନରୁ ଛେଳି ‌ଚୋରି ହୋଇଥିବା ବେଳେ ୫ଟି ଥାନରେ ୯ଟି ମାମଲା ରୁଜୁ ହୋଇଛି। ଏଥିସହ ଏହି ଗ୍ୟାଙ୍ଗ ରାଜ୍ୟରେ ଆତଙ୍କ ଖେଳାଇ ରଖିଥିବା ବେଳେ ଲୁଟ ଛେଳିର ବେପାର ଚଳାଇଥିଲେ। ବିଭିନ୍ନ ସ୍ଥାନରୁ ଛେଳି ଚୋରି କରି ଗୋଟିଏ ସ୍ଥାନରୁ ଜମା କରୁଥିଲେ। ସେଠାରୁ ଖୋର୍ଦ୍ଧା, ଜଟଣୀ, ଟାଙ୍ଗୀ, ସୁନ୍ଦରପଦା ଓ ନୟାଗଡ ଅଞ୍ଚଳରେ ବିକ୍ରି କରୁଥିଲେ। ବିଭିନ୍ନ ବେପାରୀ ଆସି ଛେଳି ଡିଲ୍ କରିବା ପରେ ଗୋଦାମରୁ ସେମାନଙ୍କୁ ଛେଳି ସପ୍ଲାଏ କରାଯାଉଥିବା ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର