ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ
ସୁନ୍ଦରଗଡ଼ : ସାମାନ୍ୟ ଘଟଣାରୁ ଗତକାଲି ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଦୁଇ ଗୋଷ୍ଠୀର ପୃଥକ ପୃଥକ ଏତଲା ଆଧାରରେ ଘଟଣାରେ ଜଡ଼ିତ ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ସିଏଏ ବିରୋଧରେ ଆୟୋଜିତ କଂଗ୍ରେସର ଶୋଭାଯାତ୍ରାରେ ଗଣ୍ଡଗୋଳ ଭିଆଇ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ଗିରଫ କରି କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ତନାଘନା ଚଲାଇଛି। ଅନ୍ୟପଟେ ଆଜି ଅପରାହ୍ନରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୌମ୍ୟା ମିଶ୍ରଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ରିଜେଣ୍ଟ ମାର୍କେଟ ତଥା ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇ ଶାନ୍ତି ବାହାଲ ପାଇଁ ଆହ୍ୱାନ ଦିଆଯାଇଛି। ରିଜେଣ୍ଟ ମାର୍କେଟ ଓ ଗାନ୍ଧୀନଗରରେ ପୁଲିସ୍ ଛାଉଣି ପକାଇ ୨୪ ଘଣ୍ଟା ସତର୍କ ନଜର ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ନରେ ପଶ୍ଚିମାଞ୍ଚଳ ଉପ ମହାନିରୀକ୍ଷକ କବିତା ଜଲାନ ଓ ରାଉରକେଲା ଆରକ୍ଷୀ ଅଧୀକ୍ଷକ ସୁବ୍ରମଣି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଫେରିଯାଇଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ କଂଗ୍ରେସ ପକ୍ଷରୁ ସିଏଏ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରାଯାଇଥିଲା। ଏଥିରେ ଦେଶ ବିରୋଧୀ ନାରା ଦିଆଯାଇଥିବା ଅଭିଯୋଗ କରି କିଛି ଯୁବକ ଗଣ୍ଡଗୋଳ ଭିଆଇବା ସହ ଆକ୍ରମଣ କରିଥିଲେ। ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ଟାଉନଥାନାରେ ଏତଲା ଦିଆଯାଇଥିଲା। ରାତିରେ ପୁଣି କିଛି ଯୁବକ ରିଜେଣ୍ଟ ମାର୍କେଟସ୍ଥିତ ପଡ଼ାରେ ପଥର ମାଡ଼ କରିଥିଲେ। ତେବେ ଠିକ ସମୟରେ ଏସ୍ପି ଶ୍ରୀମତୀ ମିଶ୍ର ପୁଲିସ୍ ବଳ ସହ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କିନ୍ତୁ ୧୪ ତାରିଖ ସକାଳୁ ସାମାନ୍ୟ ମୁଢି କିଣା ଘଟଣାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭୀଷଣ ରୂପ ଧାରଣ କରିଥିଲା। ପରେ ଏସ୍ପିଙ୍କ ନେତୃତ୍ଵରେ ଓଏସ୍ଏଏଫ୍ ମୃଦୁ ଲାଠିଚାଳନା କରି ଉତ୍ତ୍ୟକ୍ତମାନଙ୍କୁ ଘଉଡ଼ାଇ ଦେଇଥିଲେ।