ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ଗଡେଗାଁ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଭୋର ସମୟରେ ଅବାଧରେ ପଶି ଶାଗୁଆନ ଗଛ କାଟି ଗଣ୍ଡି କରି ନେଉଥିବା ସମୟରେ ବନ କର୍ମଚାରୀଙ୍କ ହାତରେ ୬ ଜଣ ଗିରଫ ହୋଇଛନ୍ତି। ସେହିପରି ଗୋଟିଏ ପିକ୍ଅପ୍ ଓ ଗୋଟିଏ ବୋଲେରୋ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ମାଝିଗୁଡ଼ାର ଶୋବନ ସୁନା (୨୯), ଖଲିଗୁଡ଼ାର ଭଗବାନ ଭତରା (୫୩), ଜାମ୍ୱଗୁଡାର ଆର୍ଶନ ସଗରିଆ (୩୦), ପାତ୍ରି ଗ୍ରାମର ଗିରିଧର ହରିଜନ (୩୬), ଭଞ୍ଜ କିଶୋର ବେନିଆ ( ୩୨) ତଥା ମାନ ସିଂ ଭତରା (୨୩)।
ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ଗଡେଗାଁ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଶାଗୁଆନ ଗଛ ଉପରେ କାଠ ମାଫିଆ ମାନେ ଲଲୁପ ଦୃଷ୍ଟି ପକାଇବା ସହ ସତର୍କତା ଅବଲମ୍ବନ କରି ଚୋରା ରେ ଗଛ କାଟି ନେଉଥିଲେ। ଗଡେଗାଁ ଗ୍ରାମର ଲୋକେ ଏହା ଜାଣି ପାରିଥିଲେ। ବୁଧବାର ବିଳମ୍ବିତ ରାତ୍ରରେ କାଠ ମାଫିଆ ମାନେ ଗଡେଗାଁ ପ୍ରସ୍ତାବିତ ଜଙ୍ଗଲ ମଧ୍ୟରେ ଗୋଟିଏ ମହିନ୍ଦ୍ରା ଧଳା ପିକଅପ ନ ଓଡି ୨୪ ଜି (୨୫୦୮) ଓ ମହିନ୍ଦ୍ରା ବୋଲେରୋ (ଓଡ଼ି ୦୮ ଏଲ ୧୮୨୪) ଯୋଗେ ଅବାଧରେ ପଶି ୪ଟି ଶାଗୁଆନ ଗଛ କାଟି ୧୧ ଟି ଗଣ୍ଡି କରିଥିଲେ।
ତେବେ କାଠ ମାଫିଆଙ୍କୁ ଧରିବା ପାଇଁ ସୁଯୋଗ ଖାଜୁଥିବା ଗଡେଗାଁ ଗ୍ରାମବାସୀ ଏହା ଜାଣିପାରି ତୁରନ୍ତ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ। ଅଭିଯୁକ୍ତମାନେ ଖସିଜିବା ଭୟ ଥିବାରୁ ସେମାନଙ୍କୁ ବାନ୍ଧି ରଖିଥିଲେ। ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗୋଙ୍କ ନିର୍ଦ୍ଦେଶ କ୍ରମେ ଜଟାବାଲ ସେକ୍ସନର ଅତିରିକ୍ତ ଦାୟିତ୍ୱରେ ଥିବା ବନପାଳ ସଦା ଶାନ୍ତା, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ପ୍ରକାଶ ସରକାର, ଉମା ଶଙ୍କର ମିଶ୍ର, ପାରା ଫରେଷ୍ଟର ଷ୍ଟାଫ୍ କାର୍ତ୍ତିକ ମାଝି ସହ ଅନ୍ୟ ବନ କର୍ମଚାରୀ ଆଜି ବଡି ଭୋର ରେ ଚଢାଉ କରି ଗଡେ ଗାଁ ଜଙ୍ଗଲ ରୁ ଗୋଟିଏ ପିକ୍ଅପ୍, ଗୋଟିଏ ବୋଲେରୋ ଯାନ ସହ ୬ ଜଣଙ୍କୁ ଗିରଫ କରିଥିଲେ। ୧୧ ଖଣ୍ଡ ଶାଗୁଆନ ଗଣ୍ଡି ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଓ ୬ ଟି ଟାଙ୍ଗିଆ ମଧ୍ୟ ଜବତ ହୋଇଥିଲା। କେଶ ନ ୯୭/୨୩-୨୪ ରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ସମସ୍ତ ୬ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।