ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ ବାଣୀପଙ୍ଗା ପାନୀୟଜଳ ପ୍ରକଳ୍ପରେ ଲାଗିଥିବା ସୋଲାର୍ ପ୍ଲେଟ୍ ଚୋରି ଘଟଣାରେ ଲାଞ୍ଜିଗଡ଼ ପୁଲିସ ୩ ଜଣ ଚୋରକୁ ଗିରଫ କରିଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସୂଚନାନୁସାରେ ବାଣୀପଙ୍ଗା ପାନୀୟଜଳ ପ୍ରକଳ୍ପରେ ଲାଗିଥିବା ସୋଲାର୍ ପ୍ଲେଟ୍ ଚୋରି କରି ନେଉଥିବା ବେଳେ ଗ୍ରାମବାସୀ ୩ ଜଣଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚା କରିବା ପରେ ଗିରଫ କରିଥିଲା।
ଗିରଫ ୩ ବ୍ୟକ୍ତି ହେଲେ ରାୟଗଡ଼ ଜିଲ୍ଲା ଡୁର୍କିଲିମାର ଶ୍ରୀକାନ୍ତ ବାଗ, ହରିଶ ନୁଣ୍ଡୃକା, ଗୁଣାଙ୍ଗ ଗ୍ରାମର ଡମ୍ବୁ ଲବକା। ସେହିପରି ଚୋରି ସାମଗ୍ରୀ କିଣୁଥିବା ୩ ଜଣ ସ୍କ୍ରାପ୍ ବ୍ୟବସାୟୀ ସାପସିଲେଟ୍ ଗ୍ରାମର ନବୀନ ଯୁଆଡ଼, ପବିତ୍ର ସାହୁ ଓ ଜୟ ମାଝୀଙ୍କୁ ପୁଲିସ ଗିରଫ କରିଥିଲା। ଆଜି ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଲାଞ୍ଜିଗଡ଼ ବ୍ଲକ୍ ଭାଟଗୁଡ଼ା ଗ୍ରାମର ଅଜିତ ମାଝୀ ଓ ଗୋପୀନାଥପୁର ଗ୍ରାମର କୋବିନ୍ଦ ମାଝୀ ଫେରାର୍ ଥିବା ଜଣାପଡ଼ିଛି। ଚୋରି ସାମଗ୍ରୀ ନେଉଥିବା ଏକ ଗାଡ଼ି (ଓଆର୍୦୮ଇ-୦୮୩୮) ଏବଂ ବାଇକ୍କୁ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।