କଟକ: ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ୬ଜଣ ବିଧାୟକ ଓ ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ୭ଟି ନିର୍ବାଚନୀ ମୋକଦ୍ଦମା ଆଜି ହାଇକୋର୍ଟରେ ଦାୟର ହୋଇଛି। ପାଟଣାଗଡ଼ ଆସନରୁ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଶ୍ରୀ ସିଂହଦେଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ସିଂହଦେଓଙ୍କ ସତ୍ୟପାଠରେ ରହିଥିବା ତଥ୍ୟ ଓ ଗଣତି ପ୍ରକ୍ରିୟାକୁ ନେଇ ନିର୍ବାଚନ ଆବେଦନରେ ପ୍ରଶ୍ନ ଉଠାଯାଇଛି। ସେହିଭଳି ଭୁବନେଶ୍ବର ମଧ୍ୟ ଆସନରୁ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ସମଗ୍ର ନିର୍ବାଚନୀ ପ୍ରକ୍ରିୟାରେ ଅସାଧୁ ଉପାୟ ଅବଲମ୍ବନ କରି ଶ୍ରୀ ଜେନା ଜିତାପଟ ହାସଲ କରିଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ। ରିଟର୍ଣ୍ଣିଂ ଅଫିସରଙ୍କ ଭୂମିକା, ପୋଷ୍ଟାଲ ବାଲଟ ଗଣତି, ସମଗ୍ର ଗଣତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି। ଶ୍ରୀ ଜେନାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବା ସହିତ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଶ୍ରୀ ପ୍ରଧାନଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଛନ୍ତି।
ବାସୁଦେବପୁର ଆସନରୁ ବିଧାୟକ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର କରିଛନ୍ତି। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି କଣ୍ଟାବାଂଝିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଗିରିରାଜ ସିଂହ ମାଝୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ବ୍ରହ୍ମପୁର ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିବା ବିଜେପି ପ୍ରାର୍ଥୀ କେ.ଅନୀଲ କୁମାରଙ୍କ ନିର୍ବାଚନକୁ ଚାଲେଞ୍ଜ କରି ମନୋଜ କୁମାର ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯାଜପୁର ଲୋକସଭା ଆସନ ନିର୍ବାଚନ ପ୍ରସଂଗ ମଧ୍ୟ ହାଇକୋର୍ଟରେ ପହଞ୍ଚିଛି। ଯାଜପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କଠାରୁ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ହାଇକୋର୍ଟରେ ଏହି ନିର୍ବାଚନୀ ମୋକଦ୍ଦମା ଦାୟର କରିଛନ୍ତି। ଗଣତି ପ୍ରକ୍ରିୟାକୁ ନେଇ ଏହି ମାମଲାରେ ପ୍ରଶ୍ନ ଉଠାଯାଇଛି।
ସୂଚନାଯୋଗ୍ୟ ଯେ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ଭିତରେ ବିଧାୟକ ବା ସାଂସଦଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରାଯାଇ ପାରିବ। ଏହି ଅବଧି ଆସନ୍ତା ଶୁକ୍ରବାର ଶେଷ ହେଉଥିବା ବେଳେ ଆଜି ଏହି ୭ଟି ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଦାୟର ହୋଇଛି। ଭୁବନେଶ୍ବର ଏକାମ୍ର ଆସନ ସଂପର୍କିତ ଜଗନ୍ନାଥ ପ୍ରଧାନଙ୍କ ମାମଲାକୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ଅଦ୍ବିତୀୟ ଶତପଥୀ, ପ୍ରୀତମ ପ୍ରଧାନ ଓ ସୁମନ ପ୍ରିୟଦର୍ଶିନୀ ସହାୟତା କରୁଛନ୍ତି।