ରାଇରଙ୍ଗପୁର: ସରକାର ୭ ଦିନ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡବାସୀଙ୍କ ନିମନ୍ତେ ଦୁଇଟି ସ୍ବତନ୍ତ୍ର ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗକୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୧ ଟି ବ୍ଲକ୍କୁ ଆକାଂକ୍ଷୀ ବ୍ଳକ୍ ତାଲିକାରେ ସାମିଲ ପାଇଁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର,ତିରିଂ,ବହଳଦା, ଜାମଦା, କୁସୁମୀ,ବିଜାତଳା ବ୍ଲକ୍ ଓ କେନ୍ଦୁଝର ଜିଲ୍ଲାର ୫ ଟି ବ୍ଲକ୍କୁ ସାମିଲ କରାଯାଇଛି ।
୭ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୬ରେ ରାଜ୍ୟ ସରକାର ରାଇରଙ୍ଗପୁରକୁ ପୁଲିସ ଜିଲ୍ଲାରେ ଘୋଷଣା କରିଥିଲେ । ସପ୍ତାହେ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡବାସୀଙ୍କ ନିମନ୍ତେ ଦୁଇଟି ସତନ୍ତ୍ର ଉପହାର ସରକାର ଦେଇଥିବାରୁ ରାଇରଙ୍ଗପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଉପଖଣ୍ଡ ହେଉଛି ବାମନଘାଟି । ଏହି ଉପଖଣ୍ଡ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ,ଗମନାଗମନ ତଥା ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ ଆବଶ୍ୟକ ଅନୁଯାୟୀ ହୋଇ ପାରୁ ନଥିଲା । ଯାହା ଫଳରେ ଲୋକେ ବିଭିନ୍ନ ଅସୁବିଧାର ଭୋଗୁଥିଲେ ।
ସରକାରଙ୍କ ଏହି ଯୋଜନାରେ ସାମିଲ କରିଥିବାରୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଞ୍ଚଳର ବିଶେଷ ଉନ୍ନତି ହେବ ବୋଲି ଆଶାବାଦୀ ଅଛନ୍ତି ଅଞ୍ଚଳବାସୀ। ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ ହେବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ମିଳିତ ଭାବେ କାର୍ଯକାରୀ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ଵରାନିତ କରାଯିବ। ସୁଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୨୬ ଟି ବ୍ଲକ୍ ମଧ୍ୟରୁ ୪୦ ଟି ବ୍ଲକ୍ ଆକାଂକ୍ଷୀ ବ୍ଳକ୍ରେ ପରିଣତ ହୋଇଛି । ଏନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଆକାଂକ୍ଷୀ ବ୍ଳକ୍ ଯୋଜନାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ୍କୁ ସାମିଲ କରିଥିବାରୁ ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ତେବେ ଆକାଂକ୍ଷୀ ବ୍ଲକ୍ ତାଲିକାରେ ରାଇରଙ୍ଗପୁର,ବହଳଦା, ତିରିଂ ଓ ଜାମଦା ବ୍ଲକ୍କୁ ସାମିଲ କରାଯିବା ସମ୍ବନ୍ଧରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲି । ମୟୂରଭଞ୍ଜ ଜିଲ୍ଲାର ୯ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାମନଘାଟି ଉପଖଣ୍ଡର ଉପେକ୍ଷିତ ବ୍ଳକ୍କୁ ସାମିଲ କରାଯାଉ ବୋଲି ମୁଁ ଅନୁରୋଧ କରିଥିଲି । ଏହି ଯୋଜନାରେ ସାମିଲ କରିଥିବାରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ସହୋଯଗ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି ।
ଜଲେଜ୍ ନାଏକ, ବିଧାୟକ, ରାଇରଙ୍ଗପୁର
ବାମନଘାଟି ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ ଏବଂ ଯେଉଁ ୬ ଟି ବ୍ଲକ୍ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ରକ୍ଷାକରି ନୀତି ଆୟୋଗ ଦ୍ଵାରା କେନ୍ଦ୍ର ସରକାର ରାଇରଙ୍ଗପୁର,ତିରିଙ୍ଗ, ବହଳଦା,ଜାମଦା,କୁସୁମୀ ଏବଂ ବିଜାତଳା ବ୍ଲକ୍କୁ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଯୋଜନାରେ ସାମିଲ କରିଥିବାରୁ ମୁଁ ବହୁତ ଖୁସି, କାରଣ ଏହା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହାର ବିକାଶ ଦ୍ରୁତ ଗତିରେ ହୋଇପାରୁ ନଥିଲା ଏହି ଯୋଜନା ଦ୍ବାରା ଶିକ୍ଷା ,ସ୍ଵାସ୍ଥ୍ୟ ,ଗମନାଗମନ,ତଥା ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ ହୋଇ ପାରିବ ଏବଂ ସାମାଜିକ ଓ ଅର୍ଥନୈତିକ ବିକାଶ ମଧ୍ୟ ହୋଇ ପାରିବ ତେଣୁ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ।
ପ୍ରଦୀପ କୁମାର ମହାନ୍ତ, ସାମ୍ୱାଦିକ,ରାଇରଙ୍ଗପୁର
ଆମ ବାମନଘାଟି ଉପଖଣ୍ଡର ବହଳଦା ବ୍ଲକ୍କୁ ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ କରିଥିବାରୁ ବହୁତ ଖୁସି ଲାଗୁଛି। ଏଣୁ ସରକାରଙ୍କୁ ଅନୁରୋଧ କରୁଛୁ ଯଥାଶୀଘ୍ର ଆମ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ଆରମ୍ଭ କଲେ ଜନ ସାଧାରଣ ମାନେ ଉପକୃତ ହେବେ ।
ସୁଧାଂଶୁ କୁମାର ଦାସ, ବହଳଦା
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ୍କୁ ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ବର୍ତ୍ତମାନ ଆମ ଅଞ୍ଚଳର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହେବ ବୋଲି ଆଶା କରୁଛୁ । ଆମ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ହେଲେ ବହୁ ସମସ୍ୟାର ସମାଧାନ ହେବା ସହିତ ଆମ ବ୍ଲକ୍ର ନାଁ ମଧ୍ୟ ବଢିବ ।
ମନୋରଞ୍ଜନ ମହାନ୍ତ, ରାଇରଙ୍ଗପୁର
ଗତକାଲି ରାତିରେ ନ୍ୟୁଜ୍ ମାଧ୍ୟମରେ ଜାଣିବାକୁ ପାଇଲୁ ଯେ, ବାମନଘାଟି ଉପଖଣ୍ଡର ୬ ଟି ବ୍ଲକ୍ ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ ହୋଇଛି। ସେଥିରେ ବିଜାତଳା ବ୍ଲକ୍ ମଧ୍ୟ ସାମିଲ ହୋଇଥିବାରୁ ବହୁତ୍ ଖୁସି ଲାଗୁଛି। ବିଜାତଳା ବ୍ଲକ୍ର ଉପାନ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ପହଞ୍ଚି ପାରିନାହିଁ । ବର୍ତ୍ତମାନ ଆକାଂକ୍ଷୀ ବ୍ଲକ୍ ତାଲିକାରେ ସାମିଲ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହେବ। ଏଣୁ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରୁଛୁ ।
ଜନକ କୁମାର ସି, ବିଜାତଳା
Mayurbhanj