କବାଟବନ୍ଧ: ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଧର୍ମଶାଳା ବ୍ଲକ କବାଟବନ୍ଧ ବଣିଆସାହିରେ ରହୁଥିବା ବିରଳ ପ୍ରଜାତିର ବାଦୁଡ଼ିବଂଶ ପ୍ରତି ବିପଦ ଦେଖାଦେଇଛି। ପ୍ରବଳ ଖରା ଓ ଗରମରେ ୩ ଦିନ ଭିତରେ ୬ଟି ବାଦୁଡିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଆଜି ବାଦୁଡ଼ି ରହୁଥିବା ଗଛରେ ଜଳ ସିଞ୍ଚନ କରାଯାଇଛି। ବନ ବିଭାଗ ପକ୍ଷରୁ ଫରେଷ୍ଟର ଏମ୍‌ଡି ସାକିର ହୁସେନଙ୍କ ନେତୃତ୍ବରେ ସ୍କ୍ବାଡ୍‌ ଏସ୍‌କେ ଜାଭିର, ସମ୍ବିତ ରାଉତ ଓ ବିଜୟ ରାଉତ ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗରେ ବାଦୁଡ଼ି ରହୁଥିବା ଗଛରେ ପାଣି ପକାଯାଇଛି।

Advertisment

ଗ୍ରୀଷ୍ମପ୍ରବାହ ଜାରିରହିଥିବାରୁ ଶେଷପର୍ଯ୍ୟନ୍ତ ପାଣି ସିଂଚନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ବହୁ ବର୍ଷ ହେବ କବାଟବନ୍ଧ ବଣିଆସାହିରେ ଏହି ବାଦୁଡ଼ି ରହିଆସୁଛନ୍ତି। ଏବେ ସେମାନଙ୍କ ସଂଖ୍ୟା ୫ ହଜାରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ବର, ଇନ୍ଦ ଓ ଓସ୍ତ ଗଛରେ ଏହି ବାଦୁଡ଼ି ରହିଛନ୍ତି। ଶିକାରୀ ଓ ପ୍ରାକୃତିକ ବିପର୍ଯ୍ୟାୟ ଯୋଗୁଁ ଏମାନଙ୍କ ସଂଖ୍ୟା କମିକମି ଆସୁଛି ବୋଲି ସୁରକ୍ଷା ଦାୟିତ୍ବ ନେଇଥିବା ବଣିଆସାହି ଗ୍ରାମବାସୀ କହିଛନ୍ତି। ବନ ବିଭାଗ ତଥା ରାଜ୍ୟ ସରକାର ଏହି ପ୍ରାଣୀର ସୁରକ୍ଷା ବ୍ୟବସ୍ଥା କଲେ ସଂଖ୍ୟା ବୃଦ୍ଧି ପାଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।