ରାଉରକେଲା: ଏଯାଏ ଅନ୍ଧାରରେ ରହିଥିବା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନ ବସ୍ତି ଅଞ୍ଚଳ ଓ ସଂଯୋଗକାରୀ ରାସ୍ତାକୁ ଆଲୋକିତ କରିବାକୁ ଏକ ପ୍ରକଳ୍ପ ଆରମ୍ଭ ହେବାର ଦେଢ଼ବର୍ଷ ପରେ ମଧ୍ୟ ଅନ୍ଧାରରେ ରହି ଯାଇଛି। ଉଦ୍‌ଘାଟନ ସମୟରେ ପୋତା ଯାଇଥିବା ୫ଟି ଖୁଣ୍ଟ ସେମିତି ଲଣ୍ଡାହୋଇ ଠିଆ ହେଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ‌ଗତ ୨୦୧୯ ଫେବ୍ରୁଆରି ମାସରେ ଛେଣ୍ଡ ବାଗ୍‌ବୁଡି ବସ୍ତିରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପର କାର୍ଯ୍ୟ। ଆର୍‌ଏମ୍‌ସିର ତତ୍କାଳୀନ କମିଶନର, ଡେପୁଟି କମିଶନରଙ୍କ ଉପସ୍ଥିତିରେ ଏକାଧିକ ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ତାହାର ଶୁଭ ଉଦ୍‌ଘାଟନ କରିଥିଲେ। ଏଲ୍‌ଇଡି ଲାଇଟ୍‌ ସଂଯୋଗ ପାଇଁ ପୋତା ଯାଇଥିଲା ୫ଟି ବିଦ୍ୟୁତ୍‌ ଖୁଣ୍ଟ (ପୋଲ୍‌)। ତା’ପରେ ଦେଢ଼ ବର୍ଷ ବିତିଯାଇଛି, ହେଲେ କାମ ସେଇଠି ଅଟକି ରହିଛି। ଏଲ୍‌ଇଡି ଲାଇଟ୍‌ ଲାଗିବା କି ବିଦ୍ୟୁତ ତାର ଟଣା ହେବା ତ ଦୂରର କଥା ଆଉ ଗୋଟିଏ ହେଲେ ଖୁଣ୍ଟ ପୋତା ଯାଇନାହିଁ। କେବେ କାମ ଆରମ୍ଭ ହେବ ଓ ଅନ୍ଧାରରେ ଜୀବନ ଅତିବାହିତ କରୁଥିବା ବସ୍ତିବାସିନ୍ଦା କେବେ ଆଲୋକ ‌ଦେଖିବେ, କାହା ପାଖରେ ସଠିକ୍‌ ଉତ୍ତର ନାହିଁ। ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀ କହୁଛନ୍ତି ଠିକାସଂସ୍ଥା ବିଳମ୍ବ କରୁଛି। ସେପଟେ ଠିକାସଂସ୍ଥା କହୁଛି, ଲକ୍‌ଡାଉନ୍‌ କଟକଣା ପାଇଁ କାମ ଆରମ୍ଭ ହୋଇ ପାରୁନାହିଁ। କିନ୍ତୁ ଲକ୍‌ଡାଉନ୍ ତ ଅତିବେଶୀରେ ଏଇ ୬ ମାସହେଲା ଆରମ୍ଭ ହୋଇଛି, ତା’ ପୂର୍ବ ବ‌ର୍ଷକର ସଫେଇ କାହା ପାଖରେ ନାହିଁ। ଏସବୁ ଭିତରେ ୬ କୋଟିର ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ ଦେଖାଦେଇଛି ଅନିଶ୍ଚିତତା।

Advertisment

ଅନ୍ଧାରରେ ଥିବା ଆର୍‌ଏମ୍‌ସିର ବସ୍ତି ଓ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଆଲୋକୀକରଣ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ଘୋଷଣା କରିଥିଲେ। ଏହିକ୍ରମରେ ପଶ୍ଚିମ ଓଡ଼ିଶାର ୧୨ଟି ଜିଲ୍ଲାର ଦୁଇଟି ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳଗୁଡ଼ିକର ଷ୍ଟ୍ରିଟ୍‌ ଲାଇଟ୍‌ କାମର ଠିକା ରାଜ୍ୟ ବାହାର କ୍ରମ୍ପଟନ୍‌ କମ୍ପାନିକୁ ଦିଆ ଯାଇଥିଲା। ଠିକାସଂସ୍ଥା ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ତା’ର କାମ ଜାରି ରଖିଛି। କିନ୍ତୁ ରାଉରକେଲା କାମ ଆଦୌ ଆଗେଇ ନାହିଁ। ମହାନଗର ନିଗମର ପ୍ରଧାନପାଲୀ, ରଘୁନାଥପାଲୀ, କୋଏଲନଗର, ତରକେରା, କଣ୍ଟାଝର, ଛେଣ୍ଡ, ଉଦିତନଗର, ବନ୍ଧମୁଣ୍ଡା, ବଡ ସୋନାପର୍ବତ, ପାନପୋଷ, ଦୁର୍ଗାପୁର, ବରକାନି, ଜଗଦା, ରୁପୁଟୋଲା ଓ ମହୁଲପାଲି ସମେତ ସାରନଗରୀର ତଳ ବାଲିଯୋଡି, ଧରମଡିହି, ଗୋପପାଲି, ଟିସ୍କୋ ଖାଦାନ, ପ୍ରଧାନପାଲି, ପାନପୋଷ ପଣ୍ଡା କଲୋନି ସମେତ ଅନେକ ସ୍ଥାନରେ ସ୍ମାର୍ଟ ଏଲ୍‌ଇଡି ବ୍ୟବସ୍ଥା ହେବାକୁ ଯୋଜନା ରହିଛି। ଏଥିପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେଥିପାଇଁ ପ୍ରାୟ ଦୁଇ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ପୋତାଯିବାରେ ଅଟକଳ ଅଛି। କିନ୍ତୁ ଅର୍ଥ ମଞ୍ଜୁରି ସତ୍ବେ ଠିକାସଂସ୍ଥା ଦିନ ଗଡାଇ ଚାଲିଛି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଠିକାସଂସ୍ଥାକୁ ତାଗିଦ୍‌ କରିବା ପରିବର୍ତ୍ତେ ଶୁଭାରମ୍ଭ କରି ନିଜ କାମ ଶେଷ ହୋଇଯିବା ଭଳି ନିରବ ହୋଇ ଯାଇଛନ୍ତି। ସେଥିପାଇଁ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଉଲ୍ଲେଖନୀୟ ଯେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଅଧିକାଂଶ ବସ୍ତିକୁ ସଂଯୋଗ କରୁଥିବା ରାସ୍ତା ଅନ୍ଧାରରେ ରହୁଛି। ସେଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ରାସ୍ତାଗୁଡ଼ିକ ସନ୍ଧ୍ୟାହେବା ପରେ ପରେ ହିଁ ଅସାମାଜିକ ଲୋକଙ୍କ ଚରାଭୂଇଁ ପାଲଟି ଯାଉଛି। ପଥଚାରୀ ଲୁଟ୍‌ ଓ ଛିନତାଇ ଆଦିର ଶିକାର ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ସିଟି ଘୋଷଣା ହେବା ପରେ ସହରରେ ଏଲ୍‌ଇଡି ଆଲୋକ ସେବା ଆରମ୍ଭ ହୋଇଥିଲା। ଦିଲ୍ଲୀର ନିବ୍‌ ଏନର୍ଜି ନାମକ ଏକ ସଂସ୍ଥା ଆର୍‌ଏମ୍‌ସିର କଲୋନିଠାରୁ ଆରମ୍ଭ କରି ପ୍ରମୁଖ ବଜାର ଓ ଛକସ୍ଥାନରେ ପୁରୁଣା ଲାଇଟ୍‌କୁ ବାହାର କରି ଏଲ୍‌ଇଡି ଲାଇଟ୍‌ ଲଗାଇଥିଲା। ପାଖାପାଖି ୧୨,୦୦୦ ରୁ ଅଧିକ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ସେଥିପାଇଁ ମୋଟ୍‌ ୧୦ କ‌ୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ‘ଅମୃତ ଯୋଜନା’ ଯୋଜନାରେ ସ୍ମାର୍ଟ ସିଟିର ପ୍ରମୁଖ ପାର୍କଗୁଡ଼ିକରେ ୪୫୦ଟି ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି। ଏହି ସେବା ଆରମ୍ଭ ହେବା ପରେ ଆର୍‌ଏମ୍‌ସିର ମାସିକ ବିଦ୍ୟୁତ୍ ବିଲ୍‌ ୨୦ ଲକ୍ଷରୁ ୮ ଲକ୍ଷକୁ ଖସି ଆସିଛି। ଏହିସବୁ କାମ ମୋଟାମୋଟି ଠିକ୍ ସମୟରେ ହୋଇ ପାରିଥିବାବେଳେ ବସ୍ତି ଆଲୋକୀକରଣ ପାଇଁ କେହି ନିଷ୍ଠାପର ଉଦ୍ୟମ କରୁ ନଥିବା ବସ୍ତିବାସୀଙ୍କୁ ହତାଶ କରିଛି।