ସାମ୍ନାକୁ ଆସିଲା ୬ କରୋନା ଆକ୍ରାନ୍ତଙ୍କ ବିବରଣୀ; ଜାରି ରହିଛି କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି  ଏହି ଆକ୍ରାନ୍ତଙ୍କ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି । ଆକ୍ରାନ୍ତମାନଙ୍କ ବୟସ ଓ ଲିଙ୍ଗ ସଂପର୍କରେ ସୂଚନା ଜାରି କରାଯାଇଛି । ଏହି କ୍ରମରେ ଯାଜପୁରର ୫ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତଙ୍କ ତଥ୍ୟ ଆସିଛି ।

ଯାଜପୁର ଜିଲ୍ଲାରେ ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ଏହି ୫ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୮,୩୨,୫୦,୫୮, ୬୪ ବୋଲି ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି । ସେହିପରି ସୁନ୍ଦରଗଡର ବିଶ୍ରାରୁ ଜଣେ ୪୦ ବର୍ଷିୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬ଜଣଙ୍କୁ ଚିହ୍ନଟ କରାଯିବ ପରେ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି |

ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏମାନେ କୋଲକତାରୁ ଫେରିଥିବା ଜଣାଯାଇଛି । ଖୁବଶୀଘ୍ର ସଂପୃକ୍ତ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

ସୂଚନା ମୁତାବକ, ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଆଜି ଗୋଟିଏ ଦିନରେ ମୋଟ ୧୩ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଂଚିଛି |.

ସମ୍ବନ୍ଧିତ ଖବର