ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜୁନ୍ ଓ ଜୁଲାଇରେ ଯେତିକି ବର୍ଷା ହେବା କଥା ହୋଇ ନାହିଁ। ତେବେ ଜୁଲାଇରେ ତିନିଟି ଲଘୁଚାପ ବର୍ଷାରୁ ମିଳିଥିବା ପାଣିକୁ ବ୍ୟବହାର କରି ଜିଲ୍ଲାର ଚାଷୀ ଖରିଫ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଶ୍ରାବଣ ଅଧା ଗଲାଣି, କିନ୍ତୁ ଜିଲ୍ଲାର ଛଅ ପ୍ରମୁଖ ଡ୍ୟାମ୍ ଶୁଖିଲା ପଡ଼ିଛି। ଏପରିକି ଏହି ଡ୍ୟାମ୍ଗୁଡ଼ିକରେ ଜଳଧାରଣ କ୍ଷମତାର ୩୫ ପ୍ରତିଶତ ପାଣି ମଧ୍ୟ ନାହିଁ। ଯାହାକି ବର୍ତ୍ତମାନ ଖରିଫ ଜଳସେଚନ କ୍ଷେତ୍ରରେ ଏକ ବଡ଼ ସମସ୍ୟା ହୋଇଛି। ଚଳିତ ବର୍ଷ ତୁଳନାରେ ଗତବର୍ଷ ଏହି ସମୟରେ ଡ୍ୟାମ୍ଗୁଡ଼ିକରେ ଯଥେଷ୍ଟ ପାଣି ଥିଲା। ତିନିଟି ଡ୍ୟାମ୍ରେ ୭୦ ପ୍ରତିଶତରୁ ଅଧିକ ପାଣି ଥିବା ବେଳେ ଅନ୍ୟ ତିନିଟି ଡ୍ୟାମ୍ରେ ୫୦ ପ୍ରତିଶତରୁ ଅଧିକ ପାଣି ରହିଥିଲା। ଚଳିତ ବର୍ଷ କେବଳ ଧନେଇ ଡ୍ୟାମ୍ରେ ୬୩.୪୬ ପ୍ରତିଶତ ପାଣି ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଜିଲ୍ଲାରେ ବର୍ଷାର ମାତ୍ରା କମୁଥିବା କୁହାଯାଉଛି। ସେହି ଅନୁସାରେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଖାଲୁଆ ସ୍ଥାନରେ ବର୍ଷା ପାଣି ଜମି ରହୁଥିବାରୁ ସେହି ଜମିରେ ଚାଷ ହୋଇଛି। କିନ୍ତୁ ଉଚ୍ଚସ୍ଥାନରେ ଥିବା ଜମିଗୁଡ଼ିକରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ଜଳ ସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର ଡ୍ୟାମ୍ରେ ବର୍ତ୍ତମାନ ୩୪.୩୦ ପ୍ରତିଶତ ପାଣି ରହିଥିବା ବେଳେ ୨୦୨୩ରେ ଏହି ସମୟରେ ୭୯.୬୬ ପ୍ରତିଶତ ପାଣି ରହିଥିଲା। ସୋରଡ଼ା ଡ୍ୟାମ୍ରେ ୨୬.୩୦ ପ୍ରତିଶତ ପାଣି ଥିବା ବେଳେ ଗତବର୍ଷ ୫୭.୫୮ ପ୍ରତିଶତ, ଡହ ଡ୍ୟାମ୍ରେ ୨୭.୪୭ ପ୍ରତିଶତ ପାଣି ଥିବା ବେଳେ ଗତବର୍ଷ ୪୯.୫୨ ପ୍ରତିଶତ, ଘୋଡ଼ାହାଡ଼ ଡ୍ୟାମ୍ରେ ୧୯.୨୪ ପ୍ରତିଶତ ପାଣି ରହିଥିବା ବେଳେ ଗତବର୍ଷ ଏହି ସମୟରେ ୭୨.୨୮ ପ୍ରତିଶତ ପାଣି ରହିଥିଲା। ସେହିପରି ବାଘୁଆ ଡ୍ୟାମ୍ରେ ୧୬.୪୨ ପ୍ରତିଶତ ପାଣି ରହିଥିବା ବେଳେ ଗତବର୍ଷ ୩୨.୪୯ ପ୍ରତିଶତ, ବାଘଲଟି ଡ୍ୟାମ୍ରେ ୨୨.୪୩ ପ୍ରତିଶତ ପାଣି ଥିବା ବେଳେ ଗତବର୍ଷ ୭୮.୬୨ ପ୍ରତିଶତ ପାଣି ରହିଥିଲା। ଡ୍ୟାମ୍ରେ ଗଚ୍ଛିତ ରହୁଥିବା ପାଣି ମୁଖ୍ୟତଃ ପାନୀୟ ଜଳ ଓ ଚାଷ କାମରେ ବ୍ୟବହାର ହୋଇଥାଏ। ଚଳିତ ବର୍ଷ ଭଲ ବର୍ଷା ହୋଇ ନଥିବାରୁ ଚାଷୀଙ୍କୁ ପାଣି ମିଳିବାରେ ଅସୁବିଧା ହେଉଛି। ଚାଷୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଡ୍ୟାମ୍ରୁ କେନାଲ୍ ଜରିଆରେ ପାଣି ଛଡ଼ାଯାଉଛି। ପାଣି ଛାଡ଼ିବା ପରେ ପୁଣିଥରେ ଜଳସ୍ତର ହ୍ରାସ ପାଇବ। ଏଣୁ ବର୍ଷା ନହେଲେ ଆଗକୁ ସ୍ଥିତି ସଙ୍ଗିନ ହେବ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।