ଦୁର୍ଘଟଣା ନେଲା ୬ ଜୀବନ : ଟ୍ରାକ୍ଟର ଓଲଟି ୪ ମୃତ; ଟ୍ରକ୍‌କୁ ପିଟିଲା କାର୍‌, ୨ ମୃତ

ରାଇରଙ୍ଗପୁର/ଠାକୁରମୁଣ୍ତା/ବାଦାମପାହାଡ଼/ଆନନ୍ଦପୁର : ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ପୃଥକ୍ ପୃୃଥକ୍ ସ୍ଥାନରେ ଟ୍ରାକ୍ଟର ଓଲଟି ୨ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଗାଁ ରାସ୍ତାରେ ଏକ ଟ୍ରାକ୍ଟର ଓଲଟି ଡ୍ରାଇଭର ଓ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଗ୍ରାମର କାର୍ତ୍ତିକ ମହାରଣା(୨୧) ହୋଇଥିବାବେଳେ ମୃତ ହେଲ୍‌ପର ଜଣକ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଦେବତାଗଡ଼ିଆ ଗ୍ରାମର ପ୍ରଦୀପ ମହାରଣା(୧୮)। ସେହିପରି ବାଦାମପାହାଡ଼ ଥାନା ଯୋରଦା ପଞ୍ଚାୟତ ଅନ୍ତର୍ଗତ ବଣକାଣ୍ଡ ଗ୍ରାମରେ ଆଜି ସଂଧ୍ୟାରେ ଦୁର୍ଘଟଣା ଘଟି ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦୁଇ ଜଣ ହେଲେ ବଣକାଣ୍ଡ ଗାଁର ଦିଗି କିସ୍କୁ(୪୯) ଓ ନିଶା ମାରାଣ୍ଡି(୪୫)। ଏଥିରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ସଂଧ୍ୟାବେଳେ ବାଦାମପାହାଡ଼ ହାଟରୁ ଗୋଟିଏ ନମ୍ବର ବିହୀନ ନୂଆ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା।

ଟ୍ରକ୍‌କୁ ପିଟିଲା କାର୍‌, ୨ ମୃତ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ପଞ୍ଚାୟତ ନିକଟସ୍ଥ ଆମପଡା ଓ ରତନପୁର ରାସ୍ତା ମଝିରେ ଭବାନୀପାଟଣାରୁ ଭଞ୍ଜନଗର ଯାଉଥିବା ଏକ ଟାଟା ଉଇଙ୍ଗର ଗାଡି (ଓଡି ୦୮ବି୫୧୨୩) ଟ୍ରକ ପଛ‌ପଟେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା।

ଗତକାଲି ବିଳମ୍ବିତ ରାତିରେ ଏହି ଗା‌ଡ଼ିଟି ୧୧ ଜଣ ଯାତ୍ରୀଙ୍କୁ ନେଇ ଭବାନୀପାଟଣାରୁ ବାହାରିଥିଲା। ହେଲେ କିଛି ବାଟ ଯିବା ପରେ ଆଗରେ ଥିବା ଟ୍ରକ୍‌କୁ ପଛୁପଟୁ ଧକ୍କା ଦେଇଥିଲା। ମୃତକ ଦ୍ବୟ ହେଲେ ଜେନା‌ଖାଲର ଶଶି ଆରୁଖ (୩୫) ଓ ନକଟିଗୁଡ଼ାର ଧନେଶ୍ବର ପଧାନ(୫୦)। ୯ ଜଣ ଆହତଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର