ବିଭିନ୍ନ ସ୍ଥାନରେ ବଜ୍ରପାତ : ୨ ଭାଇଙ୍କ ସମେତ ୬ ମୃତ

ଯାଜପୁରଟାଉନ/ସଦର/ଭଦ୍ରକ : ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ଯୋଗୁ ଆଜି ୬ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ଟାଉନ ଥାନା ଅନ୍ତର୍ଗତ ବେହେରା ପାଟଣା ଗ୍ରାମର ଦୁଇ ଭାଇ। ସେହିଭଳି, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଟାଉନ ଥାନା ଅନ୍ତର୍ଗତ ବେହେରା ପାଟଣା ଗ୍ରାମର ଉଙ୍ଗ ବେହେରାଙ୍କ ଦୁଇପୁଅ ଟୁନା(୨୨) ଓ ମୁନା(୨୦)ଙ୍କର ବିଲରେ ଧାନ ରୋଉଥିବା ସମୟରେ ବଜ୍ରାଘାତ ହୋଇଥିଲା। ଦୁହେଁ ସେଇଠାରେ ହିଁ ଟଳି ପଡ଼ିଥିଲେ। ସେହିଭଳି, ରାହାସୋଇ ଗ୍ରାମର ରମେଶ ସେଠୀ(୫୩) ଧାନ ତଳି ମାରୁଥିବାବେଳେ ବଜ୍ରପାତରେ ଟଳିପଡ଼ିଥିଲେ।

ଅନ୍ୟପକ୍ଷରେ, ବଜ୍ରପାତରେ ଆଜି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ୩ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତକମାନେ ଚାଷ ଜମିରେ ଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ସେମାନେ ହେଲେ, ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକ ରଇପୁର ପଞ୍ଚାୟତର ନାୟକସାହିର ଯୁଧିଷ୍ଠିର ନାୟକ(୫୬), ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ବନ୍ଧଗାଁ ଗ୍ରାମର ଅକ୍ଷୟ ନାୟକ (୬୫), ଏବଂ ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ(୪୩)। ଏମାନଙ୍କ ମୃତ୍ୟୁ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର