ଭୋଟ୍‌ବେଳେ ଟଳିପଡ଼ିଲେ ୬

ଅଂଶୁଘାତରେ ୨ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ବୁଥ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିଲେନି ଯୁବକ, ଭୋଟ ଦେଇ ଫେରିବାବେଳେ ମୃତ୍ୟୁ

ଶେରଗଡ଼/ପାଟପୁର/ ରାଉରକେଲ‌ା/ ବୀରମିତ୍ରପୁର/କଣ୍ଟାବାଞ୍ଜି : ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ କେତେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଧାଡ଼ିରେ ଠିଆ ହୋଇଥିବାବେଳେ, ଭୋଟ୍‌ ଦେବାକୁ ଆସୁଥିବାବେଳେ ଏବଂ ଭୋଟ୍‌ ଦେଇ ଫେରୁଥିବାବେଳେ ଭୋଟର୍‌ଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ସଂଖ୍ୟା ୬ ବୋଲି ଜଣାପଡ଼ିଛି। ସେମାନଙ୍କ ଭିତରୁ କେତେଜଣ ବୃଦ୍ଧ ହୋଇଥିବାବେଳେ ଅଂଶୁଘାତ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ କଂସାମାରୀ ଗ୍ରାମର ନଟବର ବେହେରା (୮୦)। ଭୋଟ୍‌ ଦେବା ପାଇଁ ସେ ସ୍ଥା‌ାନୀୟ ପ୍ରାଥମିକ ବିଦ୍ୟାଳୟ ବୁଥ୍‌କୁ ଆସିଥିଲେ। ପ୍ରବଳ ଖରାରେ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ହଠାତ୍ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକ ବରମୁଣ୍ଡଳି ଗ୍ରାମକୁ କାନସା ଗ୍ରାମର ଯୁବ ଭୋଟର ସୁକୁରିଆ ନାୟକ (୨୨) ମତଦାନ ପାଇଁ ଆସୁଥିଲେ। ହେଲେ ରାସ୍ତାରେ ମୁଣ୍ଡ ବୁଲାଇବାରୁ ସେ ଘରକୁ ପଳାଇଥିଲେ। ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟପକ୍ଷରେ ବରମୁଣ୍ଡଳି ବନ୍ଧସାହିର ପଞ୍ଚାନନ ଗୌଡ଼ ମଧ୍ୟାହ୍ନରେ ଘରଠୁ ଏକ କିଲୋମିଟର ଦୂର ବୁଥ୍‌କୁ ମତଦାନ ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବାବେଳେ ରାସ୍ତାରେ ମୁଣ୍ଡ ବୁଲାଇଥିଲା। ସେଠାରେ ହିଁ ସେ ଟଳିପଡ଼ିଥିଲେ। ଅଂଶୁଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉଭୟ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସେହିଭଳି, ସୁନ୍ଦରଗଡ଼ ଜିଲ୍ଲାରେ ବି ଏହିଭଳି ଅଘଟଣ ଘଟିଛି। ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ବାଙ୍କି ମିଶନ ସ୍କୁଲ୍‌ ଅନ୍ତର୍ଗତ ୧୦ ନମ୍ବର ବୁଥ୍‌ ଆଗରେ ବାଙ୍କି କୁଡୁପାଣିର ରଥୁ ବଡ଼ାଇକ (୫୦) ମଧ୍ୟାହ୍ନ ୧୨ଟାରୁ ପ୍ରାୟ ୩ ଘଣ୍ଟା ଛିଡା ହୋଇଥିଲେ। ଅଂଶୁଘାତରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସେହିପରି ସବଡେଗା ବ୍ଲକ ଅନ୍ତର୍ଗତ କିରାଲଗା ପଞ୍ଚାୟତର ପଟିଆଓରା ଗ୍ରାମର ହିଜିରା ମିଞ୍ଜ (୮୦) ନିଜ ପୁଅଙ୍କ ସହିତ ଭୋଟ ଦେବାକୁ ଦିନ ୧୨ଟା ସମୟରେ କିରାଲଗା ୟୁ.ପି ସ୍କୁଲର ବୁଥ ନ˚ ୧୬୫ କୁ ପହଞ୍ଚିଥିଲେ। ଶ୍ରୀମତୀ ମିଞ୍ଜ ପ୍ରବଳ ଖରାରେ ଦୀର୍ଘ ସମୟ ଧରି ଖରାରେ ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେବାକୁ ଅପେକ୍ଷା କରିଥିଲେ । ଅପରାହ୍‌ଣ ୧ଟା ୩୦ ମିନିଟରେ ମତଦାନ କରି ବାହାରକୁ ବାହାରିବା ସମୟରେ ସେ ଅସୁସ୍ଥ ଅନୁଭବ କରି ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ସବଡେଗା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, କଣ୍ଟାବାଞ୍ଜି  ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା ବ୍ଲକ ହିଆଲ ବୁଥ ନଂ ୪୯କୁ ଭୋଟ ଦେବାକୁ ଆସିଥିବା ଚାଚାଲ ପନିକା (୭୫) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର