ଅଡ଼ୁଆରେ ପକାଇଲେ ୬ ବିଭାଗ, ବିଧାନସଭାରେ ଘେରିବାକୁ ବିରୋଧୀଙ୍କ ସଜବାଜ

ଭୁବନେଶ୍ବର: ଆସନ୍ତା ୧୪ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ। ୧୩ ତାରିଖ ଦିନ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ଦଳ ବସି ରଣନୀତି ନିର୍ଧାରଣ କରିବେ। ଯଦିଓ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ ଓ ଅନୁମୋଦନ ହେବାକୁ ଅଧିବେଶନର ପ୍ରମୁଖ କାର୍ଯ୍ୟ ବୋଲି କୁହାଯାଉଛି, କିନ୍ତୁ ବିରୋଧୀ ଦଳ ସାମ୍ନାରେ ମାଳ ମାଳ ପ୍ରସଙ୍ଗ ରହିଛି। ଯାହା ଏହି ଅଧିବେଶନକୁ ସରଗରମ କରିପାରେ। ଗୋଟିଏ କି ଦୁଇଟି ନୁହେଁ, ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ଲାଗି ‌ଯୋଜନା କରିଛନ୍ତି। ଆହୁରି ସ୍ପଷ୍ଟ ଭାବେ କହିଲେ, ଛଅଟି ବିଭାଗ ଏବେ ସରକାରଙ୍କୁ ଅକଳରେ ପକାଇଦେଇଛି। ଯାହା ସରକାରଙ୍କ ଭଲ କାମ ଆଲୋଚନାକୁ ପାଣିଚିଆ କରିପାରେ। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢାରାଜପୁର ଡଙ୍ଗଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଲା। ଏହି ଘଟଣାରେ ସାଉଥ୍‌କୋର ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗର ୪ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ହେଲେ ସାଉଥ୍‌କୋ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଁ ମୂଳ ଘଟଣା ଅପେକ୍ଷା ଅଧିକ ବିବାଦକୁ ଟାଣିଛି ଶକ୍ତି ବିଭାଗକୁ। ବିେରାଧୀ ଜିଦ୍ ଧରିଲେଣି ଯେ କାହିଁକି ସାଉଥ୍‌କୋ ମୁଖିଆଙ୍କୁ ସରକାର ବାନ୍ଧିବେନି?

ଏହି ଦାବି ଏଇଥିପାଇଁ ବଢୁଛି, କାରଣ ସାଉଥ୍‌କୋ ମନ୍ତ୍ରୀଙ୍କୁ ଦେଇଥିବା ରିପୋର୍ଟ କେଉଁଠି ନା କେଉଁଠି ସୂଚାଇ ଦେଉଛି େଯ ଘଟଣାକୁ ଚାପିଦେବା ଲାଗି ସମସ୍ତେ ବ୍ୟସ୍ତ। ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏମିତି କେତେ ଫୁଟ ଉଚ୍ଚା ହେଲା ଯେ ୧୧କେଭି ତାର ଗାଡି ସଂସ୍ପର୍ଶରେ ଆସିଲା? ଗ୍ରାମ୍ୟ ଉନ୍ନୟନ ବିଭାଗ କ’ଣ ୩ରୁ ୪ଫୁଟ ଯାଏ ରାସ୍ତା ଉଚ୍ଚା କରିଦେଲେ? ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ ଇନ୍‌ସପେକ୍ଟର ଏ ନେଇ ରିପୋର୍ଟ ଦେଇଥିଲେ? ଏହି ପ୍ରସଙ୍ଗକୁ ଧରି ବିଧାନସଭାରେ ଘାଣ୍ଟିପାରନ୍ତି ବିରୋଧୀ। ଗତକାଲି ଶକ୍ତି ବିଭାଗ କହିଥିଲା ଯେ ୨୦୧୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବିକାଶ କରିବାକୁ ଯାଇ ୩ରୁ ୪ ଫୁଟ ଉଚ୍ଚ କରିଥିଲା। ଭୂମି ଠାରୁ ବିଦ୍ୟୁତ ତାରର ଦୂରତା କମିଯାଇଥିଲା। ଯେଉଁଥିପାଇଁ ବସ୍‌ ବିଦ୍ୟୁତ ସଂଯୋଗରେ ଆସି ଏତେ ବଡ଼ ଅଘଟଣ ହେଲା। ହେଲେ ବାସ୍ତବତା ହେଉଛି, ରାସ୍ତାର ଉଚ୍ଚତା ପାଖାପାଖି ୧ଫୁଟ ବଢିଛି ଓ ତା ପୁଣି ଦେଢବର୍ଷ ତଳେ। କିନ୍ତୁ କାହାର ନଜର ପଡିଲାନି। ସେହିଭଳି ପରୀକ୍ଷା ପରିଚାଳନା ବିଭ୍ରାଟକୁ ନେଇ ସରକାରଙ୍କ ଚିନ୍ତା ବଢିବାରେ ଲାଗିଲାଣି। ଏବର୍ଷ ବି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିଅରର ସବୁଠାରୁ ପ୍ରମୁଖ ପରୀକ୍ଷା ବୋଲି କୁହାଯାଉଥିବା ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭରୁ ବିତର୍କରେ ଫସିଲାଣି। ପରୀକ୍ଷା କେନ୍ଦ୍ର ନିର୍ଧାରଣରେ ଜାଲିଆତି ଘଟଣା ଏତେ ଗମ୍ଭୀର ଯେ ଓଡ଼ିଶା ବିଧାନସଭାରୁ ଯୁକ୍ତ ଦୁଇ ପରିଷଦକୁ ନିର୍ବାଚିତ ହୋଇଯାଇଥିବା କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଓ ଶାସକ ବିଜେଡି ସଭ୍ୟ କିଶୋର ମହାନ୍ତି ବୈଠକ ଛାଡି ପଳାଇ ଆସିଲେ। ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଭୂମିକାକୁ େନଇ ପ୍ରଶ୍ନ ଉଠିଲାଣି। ପରୀକ୍ଷା କେନ୍ଦ୍ର ନିର୍ଧାରଣରେ ଯଦି ଜାଲିଆତି, ତେବେ ଆଗକୁ ପରୀକ୍ଷା ବେଳେ କଣ ହେବ?

ଏନେଇ ଅଭିଭାବକ ସଂଶୟ ଭିତରେ ଗତିକରୁଛନ୍ତି। ମିଥ୍ୟା ସତ୍ୟପାଠ ମାମଲାରେ ଛନ୍ଦି େହାଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନିକଟରେ ହାଇକୋର୍ଟ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବ ପାଇଁ ବୀରମହାରାଜପୁର ପୁଲିସକୁ ନିର୍ଦେଶ ଦେଇଛନ୍ତି। କୌତୂହଳର କଥା ହେଉଛି, ହାଇକୋର୍ଟଙ୍କ ନିର୍ଦେଶକୁ ଜିଲ୍ଲା ପୁଲିସ ମାଡ଼ି ବସିଛି। ଆଜି ଏସ୍‌ପି ଦେବୀ ପ୍ରସାଦ ଦାସ କହିଛନ୍ତି ଯେ ରିପୋର୍ଟ ଅନୁଧ୍ୟାନ କରାଯାଉଛି। ଅର୍ଥାତ୍ ଏଯାଏ ମକଦ୍ଦମା ରୁଜୁ ହୋଇନାହିଁ। ସାଧାରଣ ଅଭିଯୋଗ ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀ ତତ୍କାଳ ମାମଲା ରୁଜୁ ଲାଗି ନିର୍ଦେଶ ଦେଇଥିବା ବେଳେ ଏ କ୍ଷେତ୍ରରେ ମାମଲା ରୁଜୁ ପ୍ରକ୍ରିୟାକୁ କାହିଁକି ବିଳମ୍ବିତ କରାଯାଉଛି ତାହା ବୁଝାପଡୁନାହିଁ। କାହା ଚାପରେ ପୁଲିସ ଚେପା ବୋଲି ପ୍ରଶ୍ନ କଲେଣି ବିରୋଧୀ ଦଳ। ହାଇକୋର୍ଟ ନିର୍ଦେଶ ଦେବା ପରେ ମନ୍ତ୍ରୀଙ୍କୁ ନେଇ ସରକାର ଅକଳରେ ପଡିଛନ୍ତି, ପ୍ରସଙ୍ଗକୁ ଟାଳିଦେବେ ନା ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟ ସରକାରରେ ମନ୍ତ୍ରୀଙ୍କ ଗୁରୁତ୍ବ କିଭଳି କମୁଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଥିବା ବେଳେ ଖୋଦ୍ ସରକାରୀ ଅଧିକାରୀ ଏକ ନିଚ୍ଛକ ଉଦାହରଣ ରଖିଛନ୍ତି ଓଡ଼ିଶା ସାମ୍ନାରେ। ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ ଭୁବନେଶ୍ବରରେ ମନ୍ତ୍ରୀ ଉପସ୍ଥିତ ଥିବା ବେଳେ ସେହିଦିନ ସନ୍ଧ୍ୟାରେ ଅନୁଷ୍ଠିତ ବିଭାଗର ରାଜ୍ୟସ୍ତରୀୟ ଉତ୍ସବରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା। ମନ୍ତ୍ରୀଙ୍କୁ ଅତିଥି ନ କରାଯିବା ଘଟଣାକୁ ନେଇ ବିଭିନ୍ନ ଭ୍ରୁକୁଞ୍ଚନ ସୃ୍ଷ୍ଟି େହାଇଛି। ବିଧାନସଭାରେ ଠିକ୍ ଢଙ୍ଗରେ ବିଧାୟକମାନଙ୍କ ଉତ୍ତର ଦେଇନପାରିବା ତଥା ସରକାରୀ ଉତ୍ସବରେ ଦିଆନଙ୍କୁ ଅତିଥି ନ କରାଯିବା ଘଟଣାକୁ ନେଇ ବିେରାଧୀ ଶିବିର ସରକାରଙ୍କୁ ଅନୁଆରେ ପକାଇବାକୁ ମନ୍ତ୍ରଣା ଚଳାଇଛନ୍ତି।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖରୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବାଣ୍ଟିବା ଲାଗି ଯୋଜନା କରିଥିବା ବେଳେ ଏହି ଯୋଜନାରେ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗ ନୂଆଦିଲ୍ଲୀରେ ପହଞ୍ଚିଲାଣି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିଜେପି ନେତା ଶାରଦା ପ୍ରଧାନ ଅଭିଯୋଗ ଆଣିବା ଓ ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣା ଉପରୁ ଚର୍ଚ୍ଚା ହଟିନି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ବିଜେପି ସାଂସଦମାନେ ଏହି ଆବାସ କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଦାବି ରଖାଯାଇଥିବା ପରିପ୍ରେକ୍ଷୀରେ ବିଜେପି ସଭ୍ୟମାନେ ମନ୍ତ୍ରୀଙ୍କ ବିରୋଧରେ ବିଧାନସଭାରେ ଗର୍ଜିବା ସମ୍ଭାବନାକୁ ଏଡାଇ ଦେଉନାହିଁ।
ସେହିପରି ବଜ୍ରକାପ୍ତା ଠାରୁ ଆରମ୍ଭ କରି ନବୀନଙ୍କ ପ୍ରିୟ ମାସ୍କଟ ଓଲି (ଅଲିଭ୍‌ ରିଡ୍‌ଲେ)କୁ ସୁରକ୍ଷା ଦେଇପାରି ନାହାନ୍ତି ଜଙ୍ଗଲ ବିଭାଗ। ଏହାବ୍ୟତୀତ ପ୍ରତି ଜିଲ୍ଲାରେ ଚାରାରୁ ଭଣ ଭଣ ଦୁର୍ନୀତି ଗନ୍ଧ ବାହାରୁଛି, ଯାହା ରାଜଧାନୀ ଛୁଇଁଲାଣି।

ସମ୍ବନ୍ଧିତ ଖବର