ଦେଢ଼ ବର୍ଷରେ ୬ ହାତୀ, ୪ କଳରାପତରିଆ ବାଘଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ତରେ ୨୦୧୯ ଜାନୁଆରୀ ଠାରୁ ୨୦୨୦ ଏପ୍ରିଲ୍ ମାସ ମଧ୍ୟରେ ୬ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଛି। ସେହିଭଳି ହାତୀ ଓ ମଣିଷ ସଂଘର୍ଷରେ ୧୨ଜଣ ମନୁଷ୍ୟଙ୍କ ଜୀବନ ଯାଇଛି। ଚନ୍ଦକା ବ୍ୟତୀତ ଖୋର୍ଦ୍ଧା ବନଖଣ୍ତରେ ୨୦୦୫ ମସିହା ଏପ୍ରିଲ ମାସରେ କୁମାରବସ୍ତ ଦଲକଠାରେ ପ୍ରଥମେ ଏକ ହାତୀ ପଲକୁ ଠାବ କରାଯାଇଥିଲା। ଏହା ପରେ ଧୀରେ ଧୀରେ ଟାଙ୍ଗୀ ରେଞ୍ଜ୍‌ର ରାମେଶ୍ବର, ନଳସିଂହ, ପଟିଆ ଓ ବାଲୁଗାଁ ରେଞ୍ଜ୍‌ର କରଡ଼ାପଲ୍ଲୀରେ ହାତୀ ବୁଲିବା ଦେଖିବାକୁ ମିଳିଥିଲା। ଏହି ସମୟରେ ୪୨ଟି ହାତୀ ରହିଥିବା ଗଣନା କରାଯାଇଥିଲା। ୨୦୦୫ ମସିହା ଏପ୍ରିଲ ମାସରୁ ୨୦୦୬ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ହାତୀ ପଲଙ୍କ ଯିବା ଆସିବା ଖୋର୍ଦ୍ଧା ଡିଭିଜନ୍‌ରୁ ଚନ୍ଦକା ଡିଭିଜନ ମଧ୍ୟରେ ସୀମିତ ଥିଲା। କିନ୍ତୁ ୨୦୦୬ ମସିହା ଡିସେମ୍ବରରେ ୪୨ଟି ହାତୀରୁ ୨୨ଟି ହାତୀ ବ୍ରହ୍ମପୁର ଡିଭିଜନକୁ ଚାଲିଯାଇଥିବା ବେଳେ ଖୋର୍ଦ୍ଧା ବନଖଣ୍ତରେ ୨୦ଟି ହାତୀ ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୦୧୯ରୁ ୨୦୨୦ ମସିହା ଏପ୍ରିଲ୍ ମାସ ମଧ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରୁ ରାମେଶ୍ବରରୁ ଗୋଟିଏ, ରତାମାଟିଆରେ ଗୋଟିଏ, ଭୁଷଣ୍ତପୁର ଉଦୟଗିରିରେ ଗୋଟିଏ, ମଙ୍ଗଳାଯୋଡ଼ିରେ ଗୋଟିଏ, ଶଙ୍ଖଯୋଡ଼ି(ରଣପୁର)ରେ ଗୋଟିଏ, ଚନ୍ଦକା ବନଖଣ୍ତ ଅଧୀନ ପଟିଆରେ ଗୋଟିଏ ହାତୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ହାତୀଙ୍କ ମୃତ୍ୟୁ ଅସ୍ବାଭାବିକ ଓ ବିଷ ପ୍ରୟୋଗଜନିତ ମୃତ୍ୟୁ ବୋଲି ଅଭିଯୋଗ ହୋଇଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ତଦନ୍ତ କିମ୍ବା ସ୍ପଷ୍ଟୀକରଣ ଦିଆଯାଇନାହିଁ। ୨୦୧୮ ପର୍ଯ୍ୟନ୍ତ ହାତୀ ୧୬ ନମ୍ବର ଜାତୀୟ ରାଜପଥ ଡେଇଁ ଆଗକୁ ଯାଉନଥିଲେ। ଏହାପରେ ହାତୀ ଜାତୀୟ ରାଜପଥ ଡେଇଁ ପୁରୀର ଅଣଜଙ୍ଗଲ ଇଲାକାକୁ ଯିବା ଆରମ୍ଭ କରିଥିଲେ। ହାତୀମାନଙ୍କ ଏଭଳି ଅସ୍ବାଭିବିକ ଗତିବିଧି ସମ୍ପର୍କରେ ପୂର୍ବରୁ ଯେଉଁଭଳି ସତର୍କ ଦୃଷ୍ଟି ରଖାଯାଉଥିଲା ଗତ ୨ ବର୍ଷ ଧରି ଖୋର୍ଦ୍ଧା ବନଖଣ୍ତ ପକ୍ଷରୁ ସେଭଳି କୌଣସି ଦୃଷ୍ଟି ଦିଆଯାଉନାହିଁ। ପୂର୍ବେ ବନଖଣ୍ତରେ ହାତୀ ଘଉଡ଼ାଇବା ଆଦିରେ ବନବିଭାଗର ତ୍ବରିତ ପଦକ୍ଷେପ ଦ୍ବାରା ଲୋକଙ୍କ ଧନଜୀବନକୁ ରକ୍ଷା କରାଯାଇପାରୁଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା ବନଖଣ୍ତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର