ଦେଢ଼ ଘଣ୍ଟାରେ ୬ ବିମାନର ଜରୁରି ଅବତରଣ

ଭୁବନେଶ୍ୱର : କୋଲକାତାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଆଜି ପୂର୍ବାହ୍ନରେ ପ୍ରବଳ ବର୍ଷା ଯୋଗୁଁ କୋଲକତା ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୬ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିଛି। କୋଲକାତାରେ ବର୍ଷା କମିବା ପରେ ଏହି ବିମାନଗୁଡ଼ିକ କୋଲକାତା ଅଭିମୁଖେ ଉଡ଼ାଣ କରିଥିଲା। ସେଠାରେ ପ୍ରାୟ ସମସ୍ତ ବିମାନ ୬ଘଣ୍ଟାରୁ ଅଧିକ ବିଳମ୍ବରେ ଅବତରଣ କରିଥିବା ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ କୋଲକାତାରେ ପ୍ରବଳ ବର୍ଷା ହେଉଥିବାରୁ ରନେଓ୍ଵର ଭିଜିବିଲିଟି କମି ଯାଇଥିଲା।

ବିମାନ ଅବତରଣ କରିବା ସମ୍ଭବ ନଥିଲା। ତେଣୁ କୋଲକାତାକୁ ଆସୁଥିବା କେତେକ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିବ ବୋଲି କୋଲାକତା ଏଟିସି ଆମକୁ ସୂଚନା ଦେଇଥିଲା। ଏହାପରେ ଦେଢ଼ ଘଣ୍ଟା ମଧ୍ୟରେ ୬ଟି ବିମାନ ଜରୁରି ଅବତରଣ କରିଥିଲା। କିଛି ସମୟ ପାଇଁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଏବଂ ଯିବାକୁ ଥିବା ୬ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ହେଲେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ଆଜି ଏକ ସଙ୍ଗେ ୧୧ଟି ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ କରିଥିଲେ। ଏପରି ପରିସ୍ଥିତି କେବେ ଉପୁଜି ନଥିଲେ ହେଁ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଉପସ୍ଥିତି ବୁଦ୍ଧି ଏବଂ ଦକ୍ଷ ପରିଚାଳନା ଯୋଗୁଁ ୧୧ଟି ଯାକ ବିମାନ ପାର୍କିଂ କରିବା ସହ ସୁରକ୍ଷିତ ଭାବେ ଉଡ଼ାଣ କରିଥିଲେ।

ଆଜି ପୂର୍ବାହ୍ନରେ ହାଇଦ୍ରାବାଦରୁ କୋଲକତା ଯାଉଥିବା ୬ଇ ୩୫୩ ବିମାନ ସକାଳ ୯ଟା ୨୯ରେ ଭୁବନେଶ୍ୱରରେ ଅବତରଣ କରିଥିବାବେଳେ ଅପରାହ୍ନ ୩ଟା ୩୮ରେ ଉଡ଼ାଣ କରିଥିଲା। ଗୋ ଏୟାରର ଅହମ୍ମଦାବାଦ-କୋଲକତା ଜି୮-୫୩୨ ବିମାନ ସକାଳ ୯ଟା ୪୮ରେ ଅବତରଣ କରିଥିବାବେଳେ ଅପରାହ୍ନ ୩ଟା ୩୦ରେ ଉଡ଼ାଣ କରିଥିଲା, ଗୌହାଟିରୁ କୋଲକତା ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୯୧୮ ବିମାନଟି ସକାଳ ୯ଟା ୫୪ରେ ଅବତରଣ କରିଥିବାବେଳେ ଅପରାହ୍ନ ୩ଟା ୫୪ରେ ଉଡ଼ାଣ କରିଥିଲା। ଏୟାର ଇଣ୍ଡିଆର ବେଙ୍ଗାଲୁର-କୋଲକତା ଏଆଇ-୭୭୬ ବିମାନ ପୂର୍ବାହ୍ନ ୯ଟା ୫୮ରେ ଅବତରଣ କରିଥିବାବେଳେ ଅପରାହ୍ନ ୧ଟା ୧୮ରେ ଉଡ଼ାଣ କରିଥିଲା। ଇଣ୍ଡିଗୋର ଦିଲ୍ଲୀ-କୋଲକତା ୬ଇ-୨୧୯ ବିମାନ ପୂର୍ବାହ୍ନ ୧୦ଟା ୯ରେ ଅବତରଣ କରିଥିବାବେଳେ ଅପରାହ୍ନ ୩ଟା ୩୧ରେ ଉଡ଼ାଣ କରିଥିଲା, ଇଣ୍ଡିଗୋର ଦିଲ୍ଲୀ-କୋଲକତା ୬ଇ-୩୭୭ବିମାନ ପୂର୍ବାହ୍ନ ୧୦ଟା ୫୫ରେ ଅବତରଣ କରିଥିବାେବେଳ ଅପରାହ୍ନ ୧୨ଟା ୫୧ରେ କୋଲକତା ଅଭିମୁଖେ ଉଡ଼ାଣ କରିଥିଲା। ୫ଟି ବିମାନରେ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇନଥିବାବେଳେ ଗୋଟିଏ ବିମାନର ଯାତ୍ରୀ ଟର୍ମିନାଲରେ ବିଶ୍ରାମ ନେଇଥିଲେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଜଣାଇଛନ୍ତି।

ସମ୍ବନ୍ଧିତ ଖବର