ଧର୍ମଶାଳା : କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଜାରି ରହିଥିବାବେଳେ ଯାତ୍ରୀବାହୀ ଗାଡ଼ିମୋଟର ବନ୍ଦ ହୋଇଯାଇଛି। ଏହାର ସୁଯୋଗ ନେଇ କେତେକ ଆମ୍ବୁଲାନ୍ସ ବେଆଇନ୍ ଭାବେ ଯାତ୍ରୀ ପରିବହନ କରୁଛନ୍ତି। ଏହିଭଳି ଯାତ୍ରୀ ପରିବହନ କରୁଥିବାବେଳେ ଟ୍ରକ୍ ସହିତ ଧକ୍କା ହେବା ଯୋଗୁ ଜଣ ୬ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି।
ଆଜି ସକାଳେ ମାଲବାହୀ ଟ୍ରକ୍ ନମ୍ବର ଏପି-୩୯ଡବ୍ଲୁ-୬୧୩୯ ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆମ୍ବୁଲାନ୍ସଟି ଭୁବନେଶ୍ବରରୁ ଭଦ୍ରକ ଫେରୁଥିବାବେଳେ ଭାଲୁଖାଇ ଗାଁ ରୋଡ କଟିଂରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସମସ୍ତଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଆହତମାନେ ହେଲେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡପାଳ ସାହିର ନୀଳମଣି ବେହେରାଙ୍କ ପୁଅ ନୃସିଂହ(୪୦), ଶୁକଦେବ ପହିଙ୍କ ପୁଅ ମନୋଜ(୫୦), ଭାଗୀରଥି ପହିଙ୍କ ପୁଅ ବଳରାମ(୫୫), ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଅଣେଇକଣା ଗ୍ରାମର ଅନିରୁଦ୍ଧ ପହି(୭୨) ଓ ଧାମନଗର ଥାନା ଅନ୍ତର୍ଗତ ସୁନନ୍ଦପୁର ଗ୍ରାମର ନାରାୟଣ ରାଉତଙ୍କ ପୁଅ ଅତୁଲ୍ୟ(୪୮), ଆମ୍ବୁଲାନ୍ସ ଚାଳକ ଭଦ୍ରକ ନୂଆ ବଜାରର ଗୋଲଖ ମୁଖୀଙ୍କ ପୁଅ ସୁନିଲ(୩୮) । ଆହତମାନଙ୍କ ମଧ୍ୟରୁ ସୁନିଲ୍ ଓ ଅନିରୁଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଧର୍ମଶାଳା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।