ଅଟୋ-ବସ୍‌ ମୁହାଁମୁହିଁ ଧକ୍କା, ୬ଜଣ ଆହତ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ରାସ୍ତାର କଫିବୋର୍ଡ ନିକଟରେ ଅଟୋ ସହ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଆହତ ହୋଇଛନ୍ତି। ଗୁନେଇପଡା ପଞ୍ଚାୟତ ଅନ୍ତର୍ଗତ ବାୟାପୁଟ ଗ୍ରାମର ଗୋବର୍ଦ୍ଧନ ବଡନାୟକ, ଶ୍ୟାମ ରୁଡାଇ, ସୁବର୍ଣ୍ଣ ବଡନାୟକ, ନିଦି ଶ୍ରିଗାମ, ଜଗୁ ବଡନାୟକ ଓ ଘାସି ବଡନାୟକ ପ୍ରମୁଖ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଲମତାପୁଟ ସ୍ଥିତ ଆଶା କିରଣ ହସପିଟାଲରେ ଭର୍ତି କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ଜଣଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଗୋଟାଏ ବେଳେ ବାୟାପୁଟ ଗାଁର ୬ଜଣ କୌଣସି କାମରେ ମାଛକୁଣ୍ଡ ଥାନାକୁ ଯାଉଥିଲେ। ରାସ୍ତାରେ ବିପରତି ଦିଗରୁ ଆସୁଥିବା ଗୋଟିଏ ଘରୋଇ ବସ୍‌ ସହ ଅଟୋ ମାଛକୁଣ୍ଡ ରାସ୍ତାର କଫିବୋର୍ଡ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଅଟୋରେ ବସିଥିବା ୬ଜଣ ଯାକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରିବା ପରେ ଗୋଟିଏ କମାଣ୍ଡର ଯୋଗେ ଲମତାପୁଟ ସ୍ଥିତ ଆଶା କିରଣ ମେଡିକାଲକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ୱେ ଜଗୁ ବଡନାୟକ(୪୫) ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟମାନେ ଆଶା କିରଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ପରେ ଲମତାପୁଟ-ମାଛକୁଣ୍ଡ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ଖବର ପାଇ ମାଛକୁଣ୍ଡ ପୁଲିସ ପହଞ୍ଚି ଦୁଇଟି ଗାଡିକୁ ହଟାଇବା ପରେ ପୁଣି ଗାଡି ଚଳାଚଳ ଆରମ୍ଭ ହୋଇଥିଲା। ପୁଲିସ ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର