ଘଟଗାଁ/ଢେଙ୍କିକୋଟ/ବେଲପଡ଼ା/ଯୁଯୁମୁରା: ଆଜି ତିନୋଟି ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି। ଘଟଗାଁରେ କ‌ଣ୍ଟେନର୍‌- ବାଇକ୍‌ ମୁହାଁମୁହିଁ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଲପଡ଼ାରେ ଟ୍ରକ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ସେହିପରି ବିଳମ୍ବିତ ରାତିରେ ଯୁଯୁମୁରା ଅଞ୍ଚଳରେ ଟ୍ରକ୍‌ ପଛରେ ଏକ ଆମ୍ବୁଲାନ୍ସ ପିଟି ହେବାରୁ ଜଣେ ପ୍ରାଣ ହରାଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଏକ ପେଟ୍ରୋଲପମ୍ପ ନିକଟରେ ଆଜି ଅପରାହ୍‌ଣରେ ଏକ କଣ୍ଟେନର୍‌ (ଟ୍ରକ୍‌) ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ଥିବା ୩ ଜଣ ବରବେଡ଼ା ଗ୍ରାମର ମହେଶ୍ୱର ନାଏକ (୫୫), ବଡ଼ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା (୩୨) ଓ ବଳଭଦ୍ର ଖଟୁଆ (୫୮)ଙ୍କ ମୃତ୍ୟୁ ଘଟିଛି। ସୋମବାର ଦିନ ଓଡି୦୯-ଏମ୍‌-୭୬୮୧ ନମ୍ବର ବାଇକ୍ ଯୋଗେ ମହେଶ୍ବର, କାହ୍ନୁ ଓ ବଳଭଦ୍ର ଢେଙ୍କିକୋଟସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଆସିଥିଲେ। କାମ ସାରି ଫେରିବା ବେଳେ କେନ୍ଦୁଝର ପଟୁ ଆସୁଥିବା କଣ୍ଟେନର୍‌ (ଆର୍‌ଜେ-୧୧-ଜିସି୭୨୯୬) ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଆହତ ୩ ଜଣଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଦୁର୍ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରୁଥିବା କଣ୍ଟେନର୍‌କୁ ଟୋଲ୍‌ ପ୍ଲାଜା ନିକଟରେ ଅଟକ ରଖାଯାଇଛି। ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Advertisment

ଘଟଗାଁରେ କଣ୍ଟେନର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ୩ ମୃତ
ବେଲପଡ଼ାରେ ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
ଯୁଯୁମୁରାରେ ଟ୍ରକ୍‌ ପଛରେ ଆମ୍ବୁଲାନ୍ସ ଧକ୍କା, ଜଣେ ମୃତ

ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ମୁଖ୍ୟରାସ୍ତାର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ସୋମବାର ଟ୍ରକ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଭରୁଆମୁଣ୍ଡା ଗାଁର ଦୁଃଖନାଶନ ନାଏକ (୩୫) ଓ କେଶବ ମାଝୀ (୩୭)। ଉଭୟ ଆଜି ପାଟଣାଗଡ଼ ଯାଇ ବାଇକ୍‌ (ଓଡି୦୩ଏ-୨୪୪୮) ଯୋଗେ ଗାଁ’କୁ ଫେରୁଥିବା ବେଳେ ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ (ସିଜି୦୪ ଏମ୍‌ଡବ୍ଲୁ- ୭୮୮୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଃଖନାଶନଙ୍କ ମୃତ୍ୟୁ ହୋଇଥିବା ବେଳେ କେଶବ ଚିକିତ୍ସାଧୀନ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଆଖି ବୁଜିଥିଲେ। କ୍ଷତିପୂରଣ ଦାବିରେ ଗାଁ ଲୋକେ ଦୁର୍ଘଟଣାସ୍ଥଳ ଓ ବେଲପଡ଼ା କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ ଅଚାନକ ଶବକୁ ନେଇ ପଳେଇ ଯିବାରୁ ଲୋକେ ପୁଲିସ ବିରୋଧରେ ନାରାବାଜି କରିଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଗାଡ଼ି ସହ ପାଟଣାଗଡ଼ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ଅନ୍ୟ ଏକ ଘଟଣାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଗୌରୀ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ରାସ୍ତା କଡ଼ରେ ଅଟକିଥିବା ଏକ ଟ୍ରକ୍‌ (ଓଡି୧୬ଜି-୦୭୨୨)କୁ ପଛପଟୁ ଆମ୍ବୁଲାନ୍ସ(ଓଡି୦୨ବିଏଚ-୨୯୦୪) ଧକ୍କା ଦେଇଥିଲା। ଏଥିରେ ସଦର ଥାନା କୁଦୋପାଲିର ନିରଞ୍ଜନ ପ୍ରଧାନ (୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଚାଳକ ରେଢ଼ାଖୋଲ ଖଣ୍ଡହତାର ସୁଦର୍ଶନ ମାଟିଆରି ଓ ସୌମ୍ୟଜିତ ସାହୁ ଆହତ ହୋଇଛନ୍ତି।  ଜାତୀୟ ରାଜପଥ କାମ ଚାଲିଥିବାରୁ ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ ହେଉଛି। ଏହି ସମୟରେ ଡାକ୍ତରଖାନାରେ ରୋଗୀକୁ ଛାଡ଼ି ଯୁଯୁମୁରା ଫେରୁଥିବା ବେଳେ ଉକ୍ତ ଟ୍ରକ୍ ପ‌ଛରେ ଆମ୍ବୁଲାନ୍ସ ଧକ୍କା ହୋଇଥିଲା। ଏଥିରେ ଆମ୍ବୁଲାନ୍ସ ସହଯୋଗୀ ନିରଞ୍ଜନ କ୍ୟାବିନ୍‌ ଭିତରେ ଚାପି ହୋଇ ରହିଯାଇଥିଲେ।